କନକ ବ୍ୟୁରୋ : ବୈଜୟନ୍ତଙ୍କୁ ନେଇ କେନ୍ଦ୍ରାପଡା ବିଜେପିରେ ଆରମ୍ଭ ହେଲାଣି ବିଦ୍ରୋହ । ପୁରୁଣା ବିଜେପି କର୍ମୀ ବୈଜୟନ୍ତଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀର ବିଭିନ୍ନ ଆସନରେ ପ୍ରାର୍ଥୀ ଚୟନରେ ବୈଜୟନ୍ତଙ୍କ ଭୂମିକାକୁ ନେଇ ବିଦ୍ରୋହର ନିଆଁ ଦେଖିବାକୁ ମିଳିଛି । ଖାସକରି ମହାକାଳପଡାରେ ବିଜେପି ଯେଉଁ ବିଧାୟକ ପ୍ରାର୍ଥୀ ଚୟନ କରିଛି ତାହାକୁ ନେଇ କର୍ମୀଙ୍କ ମନରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି । ଏପରିକି ଏହାପଛର ମୁଖ୍ୟ କାର୍ପଟଦାର ବୈଜୟନ୍ତ ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି ଦଳର ପୁରୁଣା କର୍ମୀ । ଯେଉଁଥିପାଇଁ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ କରିବାକୁ ପଛାଇ ନାହାନ୍ତି କର୍ମୀ ।

Advertisment

ଆଜି ମହାକାଳପଡାର ଛପାଲି ଛକରେ ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କରିବା ସହ ବୈଜୟନ୍ତ ବିରୋଧୀ ନାରା ଦେଇଥିଲେ କର୍ମୀ । ଏପରିକି ପୂରା ଜିଲ୍ଲାରେ ବୈଜୟନ୍ତ ପୁରୁଣା କର୍ମୀଙ୍କୁ ଅଣଦେଖା କରିବା ସହ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଟିକେଟ ଦେଇଥିବା ଅଭିଯୋଗ ହୋଇଛି । ଦଳଡିଆଁ ନେତାଙ୍କୁ ବୈଜୟନ୍ତ ଟିକେଟ ଦେଇ ଏଠାରେ ଦଳୀୟ ସଙ୍ଗଠନକୁ ମୂଳପୋଛ କରିବାକୁ ଉଦ୍ୟମ କରୁଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି କର୍ମୀ ।ମହାକାଳପଡାରେ ଭୁବନମୋହନ ଜେନାଙ୍କ ବଦଳରେ ବୈଜୟନ୍ତ ବିଜୟ ପ୍ରଧାନଙ୍କୁ ପ୍ରାର୍ଥୀ କରି ଏହାର ପ୍ରମାଣ ଦେଇଛନ୍ତି ବୋଲି କହିଛନ୍ତି ବିଜେପିର କର୍ମୀ ଓ ନେତା ।

ଚଳିତଥର କେନ୍ଦ୍ରାପଡାରେ ବୈଜୟନ୍ତଙ୍କୁ କଡା ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ଘରେ ନ ପଶୁଣୁ ବୈଜୟନ୍ତଙ୍କ ମୁଣ୍ଡରେ ଚାଳ ବାଜିଲାଣି । ଅଥାର୍ତ ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ଦଳ ଭିତରୁ ବୈଜୟନ୍ତଙ୍କ ବିରୋଧରେ ବିଦ୍ରୋହର ସ୍ୱର ଉଠିଛି । ଯାହା ପୁରା ଜିଲ୍ଲାକୁ ବ୍ୟାପିବା ଆରମ୍ଭ କରିଛି । ବୈଜୟନ୍ତଙ୍କୁ ନେଇ ଜିଲ୍ଲାରେ ପୁରୁଣା କର୍ମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି । ଯାହା ଆଗାମୀ ଦିନରେ ଉଗ୍ର ରୂପ ଧାରଣ କରିବ ବୋଲି ଚର୍ଚ୍ଚା ହେଉଛି । ଏପରିକି ଅସନ୍ତୁଷ୍ଟ ଥିବା କର୍ମୀ ମାନେ ବୈଜୟନ୍ତ ପଣ୍ଡାଙ୍କୁ ଆଗାମୀ ଦିନରେ ଘୋର ବିରୋଧ କରିବେ ବୋଲି କର୍ମୀ ମାନେ ଖୋଲାଖୋଲି ଚେତାବନୀ ଦେଇଛନ୍ତି । ଏହାପୂର୍ବରୁ ଗତକାଲି କେନ୍ଦ୍ରାପଡାରେ ମଧ୍ୟ ପ୍ରାର୍ଥୀ ଚୟନକୁ ନେଇ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରିଥିଲେ ବିଜେପି କର୍ମୀ ।

ଅନ୍ୟପଟେ ବୈଜୟନ୍ତ ପ୍ରଥମ ଥର ପାଇଁ ପ୍ରତିକୂଳ ପରିସ୍ଥିତିରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ପୂର୍ବଭଳି ବୈଜୟନ୍ତଙ୍କ ସହ ଶଙ୍ଖ ଚିହ୍ନର ଟ୍ୟାଗ୍ ନଥିବା ବେଳେ ପଦ୍ମ ଶିବିରରେ କଡା ବିରୋଧର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଏଭଳି ପରିସ୍ଥିତିରେ ବୈଜୟନ୍ତ କିଭଳି ନିର୍ବାଚନ ବୈତରଣୀ ପାର ହେବେ ତାହା ସବୁଠୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି ।