ସାମ୍ବାଦିକଙ୍କୁ ଅଳସୁଆ କହି ବିବାଦରେ ସାଂସଦ ବୈଜୟନ୍ତ: ପ୍ରଭୁ ଚାୱଲାଙ୍କ ପରେ ସୌମ୍ୟରଂଜନଙ୍କ ଟିପ୍ପଣୀ

37

ଭୁବନେଶ୍ୱର : ସାଂସଦ ବନାମ ସାମ୍ବାଦିକ । ସାମ୍ବାଦିକ ଅଳସୁଆ, ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏହି ଟିପ୍ପଣୀକୁ ନେଇ ଆରମ୍ଭ ହୋଇଛି ବିତର୍କ । ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ପରେ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ।

ସାଂସଦ ବୈଜୟନ୍ତ କହିଥିଲେ- ସାଂସଦ ପାଣ୍ଠି ବିନିଯୋଗ ଉପରେ ରିପୋର୍ଟ ପୁରୁଣା ତଥ୍ୟ ଉପରେ ଆଧାରିତ । ତାଙ୍କ ସହ ଯୋଗାଯୋଗ ନ କରି ରିପୋର୍ଟ ଛାପିବା ଅଳସୁଆ ସାମ୍ବାଦିକତାର ପରିଚୟ । ପଣ୍ଡାଙ୍କ ଆକ୍ଷେପର କଡ଼ା ଜବାବ ଦେଇଛନ୍ତି ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ । ସାଂସଦଙ୍କର ଏହି ଆଭିମୁଖ୍ୟକୁ “ଚାଲି ନଜାଣି ବାଟର ଦୋଷ” ବୋଲି କହିଛନ୍ତି ସୌମ୍ୟରଂଜନ । ସୌମ୍ୟରଂଜନଙ୍କ କହିବା କଥା ପରିସଂଖ୍ୟନ ମନ୍ତ୍ରଣାଳୟର ତଥ୍ୟକୁ ନେଇ ସମ୍ବାଦ ରିପୋର୍ଟ ଛାପିବା ପରେ ଚେତିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ରିପୋର୍ଟ ପ୍ରକାଶ ପାଇବାର ୪ଦିନ ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ପରିସଂଖ୍ୟାନ ମନ୍ତ୍ରଣାଳୟକୁ ଠିକ୍ ତଥ୍ୟ ପଠାଇଛନ୍ତି । ସାଂସଦ ନିଜ ଜିଲ୍ଲାର ଶାସନ କଳକୁ ତତ୍ପର କରାଇପାରିନଥିବା ବେଳେ ସାମ୍ବାଦିକଙ୍କୁ ଅଳସୁଆ କହିବା ଏକ ରୁଚିହୀନ ମନ୍ତବ୍ୟ ।

ପୂର୍ବରୁ ବୈଜୟନ୍ତଙ୍କ ଏଭଳି ଟିପ୍ପଣୀକୁ ସୋସିଆଲ୍ ମିଡିଆରେ ଖଣ୍ଡନ କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା। ପ୍ରଭୁ ଚାୱଲା ଲେଖିଥିଲେ- ଶାସନକଳକୁ ସକ୍ରିୟ କରାଇବା ଆପଣଙ୍କ ଦାୟିତ୍ୱ । ଆପଣ କାହିଁକି ତାହା କରାଇପାରିନାହାନ୍ତି?

ଉତରରେ ବୈଜୟନ୍ତ ଲେଖିଥିଲେ- ମୁଁ ବହୁ ଚେଷ୍ଟା କରିବା ପରେ ମଧ୍ୟ ତାହା ହୋଇପାରିନଥିଲା । ପୁରୁଣା ତଥ୍ୟ ଉପରେ ସାମ୍ବାଦିକଙ୍କୁ ସୁରକ୍ଷା ଦିଅନ୍ତୁ ନାହିଁ । ସେମାନେ ମୋ ସହ ଯୋଗାଯୋଗ କରି ରିପୋର୍ଟ ଛାପିଲେ ନାହିଁ କାହିଁକି? ଏହା ଲେଜି ଜର୍ନାଲିଜିମ୍ ବା ଅଳସୁଆ ସାମ୍ବାଦିକତାର ପରିଚୟ । ତେବେ ସାଂସଦଙ୍କ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ନିଜ ଦଳର ବରିଷ୍ଠ ନେତା ।