ବିଜେଡି କହିଲା ଲକ୍ଷ୍ମଣରେଖା ଟପିଗଲେଣି ସାଂସଦ ବୈଜୟନ୍ତ । ଇସ୍ତଫା ଦେବେ ନା ବହିଷ୍କୃତ ହେବେ ତାକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା

32

କନକ ବ୍ୟୁରୋ : ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଦଳର ସବୁ ଲକ୍ଷ୍ମଣରେଖା ଟପିଯାଇଛନ୍ତି । ସେ ବିରୋଧୀଦଳକୁ ଗଲେ ବିଜେଡିର କିଛି ଚିନ୍ତା ନାହିଁ । ବୈଜୟନ୍ତ ବିବାଦ ଉପରେ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ । ବୈଜୟନ୍ତଙ୍କ ଉପରେ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ଥିବାର ଖବର ଏବେ ଆଉ ଅଛପା ନୁହେଁ । ଦଳର ସାଂସଦ ପ୍ରତାପ ଦେବ ବି କହିଥିଲେ ବିଜେପି ସ୍ୱରରେ କଥା ହେଉଛନ୍ତି ବୈଜୟନ୍ତ । ପ୍ରଶ୍ନ ଉଠୁଛି ଏତେ ସବୁ ପରେ ବି କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବିଜେଡି ଏବଂ ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି, ବୈଜୟନ୍ତ ମଧ୍ୟ ଦଳ ନଛାଡି କାହିଁକି ଦଳ ବିରୋଧରେ ଲଢେଇ କରୁଛନ୍ତି ।

baijayantaବିଜେଡି ଓ ବୈଜୟନ୍ତଙ୍କ ଭିତରେ ବିବାଦ ବଢି ବଢି ଚାଲିଛି । କିନ୍ତୁ ରାଜନୀତିର ବାଧ୍ୟବାଧକତା ଦେଖନ୍ତୁ, ନା ବିଜେଡି ବୈଜୟନ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରୁଛି ନା ବୈଜୟନ୍ତ ଦଳ ଛାଡୁଛନ୍ତି । ଦଳ ଭିତରେ ରହି ଚାଲିଛି ଛାୟାଯୁଦ୍ଧ । ନିଶ୍ଚିତକୋଇଲିରେ ପାଣିଟାଙ୍କି ଉଦଘାଟନ ପରଠାରୁ ହିଁ ବିଜେଡି ଓ ବୈଜୟନ୍ତଙ୍କ ମଧ୍ୟରେ ଲାଗିଥିବା ନିଆଁ ଏବେ ଜୋରରେ କୁହୁଳିବାକୁ ଆରମ୍ଭ କଲାଣି । କେତେବେଳେ ଯେ, ଏହି ନିଆଁ କାହାକୁ ପୋଡିଦେବ ତାହା ଜଣା ପଡୁନାହିଁ ।

ତେବେ ଏସବୁ ଭିତରେ କାହିଁକି ବିଜେଡି ଛାଡୁନାହାନ୍ତି ବୈଜୟନ୍ତ ?ଏହି ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଯେ ଏହା ପଛରେ କଣ କାରଣ ହୋଇପାରେ ?
୧. ଦଳ ଛାଡିଲେ ଏକ ସୁବିଧାବାଦୀ ନେତାର ଛାପ ଲାଗିଯାଇପାରେ । କାରଣ ଯେଉଁ ଦଳ ତାଙ୍କୁ ଚାରି ଚାରି ଥର ସାଂସଦ କରିଛି ଏବଂ ରାଜ୍ୟ ରାଜନୀତିରେ ଏକ ବଡ ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଛି, ସେହି ଦଳ ଛାଡିବା ପୂର୍ବରୁ ତାଙ୍କ ପାଖରେ ଯଥେଷ୍ଟ କାରଣ ଥିବା ଦରକାର ।
୨. ଯଦି ସେ ବିଜେପିକୁ ଯିବେ ତେବେ ସେଠାରେ ତାଙ୍କର ସ୍ଥିତି କିମ୍ବା ଭୂମିକା କଣ ହେବ ତାକୁ ନେଇ ଦ୍ୱନ୍ଦରେ ଥାଇପାରନ୍ତି ସାଂସଦ । କାରଣ ବିଜେପି ଏକ କ୍ୟାଡର ଭିତିକ ଦଳ । ତେଣୁ ବାହାରୁ ଆସି ଏଠାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇବା ଏତେ ସହଜ ନୁହେଁ ।
୩. ଏମିତି ବି ହୋଇପାରେ ବିଜେପିରେ ନିଜ କାଟତି ବଢାଇବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚ୍ୟାଲେଂଜ କରିବାକୁ ପଛାଉନାହାନ୍ତି ବୈଜୟନ୍ତ ।

BAIJAYANTAବୈଜୟନ୍ତ କାହିଁକି ଦଳ ଛାଡୁନାହାନ୍ତି ତାହା ଯେତିକି ରହସ୍ୟମୟ ବିଜେଡି କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ତାହା ମଧ୍ୟ ସେତିକି ଆଶ୍ଚର୍ଯ୍ୟଜନକ । ସାଧାରଣରେ ଏହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ସାଧାରଣ ଲୋକଙ୍କ ପାଇଁ ବୈଜୟନ୍ତ ଓ ବିଜେଡିକୁ ନେଇ ଭିନ୍ନ ଭିନ୍ନ ମତ ଦେଖାଦେଲାଣି ।

କାହିଁକି ବୈଜୟନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ବିଜେଡି ?
୧. ବୈଜୟନ୍ତଙ୍କ ବିରେଧରେ କାର୍ଯ୍ୟାନୁଷ୍ଠାନ ନେଲେ ଅଫିସରଙ୍କ ବିରୋଧରେ କହିବାରୁ ପଦକ୍ଷେପ ନିଆଗଲା ବୋଲି ବାର୍ତ୍ତା ଯିବାର ସମ୍ଭାବନା ଅଛି ।
୨. ଯଦି ବିଜେଡି କାର୍ଯ୍ୟାନୁଷ୍ଠାନ ନିଏ ତେବେ ବୈଜୟନ୍ତଙ୍କ ସପକ୍ଷରେ ସମବେଦନା ବା ଅନୁକମ୍ପା ସୃଷ୍ଟି ହୋଇପାରେ । ଏବଂ ଦଳ ପରିବର୍ତନ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ୃି ହୋଇପାରେ । ଯାହା ବୈଜୟନ୍ତଙ୍କୁ ବେଶ ସୁହାଇବ ।
୩. ବୈଜୟନ୍ତଙ୍କ ହାତରେ ଏକ ଗଣମାଧ୍ୟମ ରହୁଥିବାରୁ ପଦକ୍ଷେପ ନେବାପାଇଁ ପଛଘୁଂଚା ଦେଉଥାଇପାରେ ଦଳ ।

ତେବେ ଏ ସବୁ ପ୍ରଶ୍ନର ପ୍ରକୃତ ଉତର ବିଜେଡି ସୁପ୍ରିମୋ କିମ୍ବା ବୈଜୟନ୍ତ ହିଁ ଦେଇପାରିବେ । କିନ୍ତୁ ଏହା ସତ ଯେ ଦଳ ଓ ସାଂସଦଙ୍କ ଭିତରେ ଏକ ବଡ ମତଭେଦ ସୃଷ୍ଟି ହୋଇଯାଇଛି । ଏପରିକି ଏଭଳି ସ୍ଥିତିରେ ବୈଜୟନ୍ତ ଲଗାତାର ତୃତୀୟ ମହଲାକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ବୈଜୟନ୍ତଙ୍କ ବୟାନ ପରେ ଆଉ କିଛି ନେତା ମଧ୍ୟ ତୃତୀୟ ମହଲା ଅଫିସରଙ୍କ ଉପରେ ଏବେ ଆଙ୍ଗୁଳି ଉଠାଇଛନ୍ତି । ଯାହା ଆଗକୁ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ।