ଟ୍ୱିଟରରେ ସଫେଇ ରଖିଲେ ବୈଜୟନ୍ତ ! ମନ୍ଦିର ଉପରେ ଉଡିବା ପ୍ରସଙ୍ଗରେ କଣ କହିଲେ ପୂର୍ବତନ ସାସଂଦ ?

35

କନକ ବ୍ୟୁରୋ : ବୈଜୟନ୍ତଙ୍କୁ ନେଇ ବିବାଦ ଥମୁନଥିବା ବେଳେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ପୁଲିସ ଡାକରା । ଚିଲିକା ଉପରେ ବେଆଇନ ଭାବେ ହେଲିକପ୍ଟର ଉଡାଇବା ମାମଲାରେ ପୂର୍ବତନ ସାଂସଦଙ୍କ ସହ ୨ ଯାତ୍ରୀଙ୍କୁ ମଧ୍ୟ ନୋଟିସ କରିଛି ପୁରୀ ପୋଲିସ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ପୋଲିସ ଡିଜିସିଏ ଠାରୁ ତଥ୍ୟ ମାଗିଥିଲା । ଏଥିରୁ ଜଣାପଡିଥିଲା ଯେ ୧୫ତାରିଖ ସକାଳ ସାଢେ ୮ଟାରୁ ସାଢେ ଗୋଟାଏ ମଧ୍ୟରେ କେବଳ ବୈଜୟନ୍ତଙ୍କ ହେଲିକପ୍ଟରକୁ ଉଡାଣ ଅନୁମତି ମିଳିଥିଲା । ସେହି ଆଧାରରେ ଇମ୍ଫାର ହେଙ୍ଗର ବା ବିମାନ ପାର୍କିଂ ଏରିଆକୁ ସିଲ୍ କରାଯାଇଛି । ସେପଟେ ଚିଲିକାର କେତେ ଉଚ୍ଚରେ ହେଲିକପ୍ଟରଟି ଉଡୁଥିଲା ତାହା ବିମାନର ବ୍ଲାକ୍ ବକ୍ସରୁ ଜଣାପଡିବ । ତେଣୁ ଏନେଇ ଡିଜିସିଏ ଠାରୁ ତଥ୍ୟ ମଗାଯାଇଛି ।

ସେପଟେ ଉଡାଣକୁ ନେଇ ବଢୁଥିବା ବିବାଦ ଭିତରେ ବୈଜୟନ୍ତ ପଣ୍ଡା ଟ୍ୱିଟ କରି ନିଜର ମତ ରଖିଛନ୍ତି । ବୈଜୟନ୍ତ ଟ୍ୱିଟ ଜରିଆରେ ଇସାରା ଇସାରାରେ ସମାଲୋଚନା କରିଛନ୍ତି । ପୂର୍ବତନ ସାଂସଦ ଟ୍ୱିଟ କରିଛନ୍ତି ପ୍ରଥମେ ସିପ୍ଲେନ ଉଡାଣର ଅଭିଯୋଗ ହେଲା । ଏବଂ ପରେ ଏହା ହେଲିକପ୍ଟର ହୋଇଗଲା । ୧.୩୦ରେ ଉଡାଣର ଅଭିଯୋଗ ହୋଇଥିବା ବେଳେ ସେତେବେଳେ ବିମାନ ଭୁବନେଶ୍ୱର ବିମାନ ବନ୍ଦରର ପାର୍କିଂରେ ଥିବା ନେଇ ସଫେଇ ରଖିଛନ୍ତି ବୈଜୟନ୍ତ ।

ଏମିତିକି ନିଜ ପକ୍ଷ ରଖିବାକୁ ଯାଇ ସେ କହିଛନ୍ତି ଯେ, ହ୍ରଦ ନୋ ଫ୍ଲାଇଙ୍ଗ ଜୋନ ନୁହେଁ । କେବଳ ଏତିକି ନୁହେଁ ଆଉ ଏକ ଟ୍ୱିଟ କରି ସେ କୋଣାର୍କ ଓ ଅଭିଜିତ ଆୟାରଙ୍କୁ ନେଇ ଉଠିଥିବା ବିବାଦ ଉପରେ ମଧ୍ୟ ମତ ରଖିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ମନ୍ଦିର ଠାରୁ ୩ କିଲୋମିଟର ଦୂର ଉଡାଣ ଭରିଥିଲା ହେଲିକପ୍ଟର । ସେପେଟ ଅଭିଜିତ ଆୟରଙ୍କୁ ପରୋକ୍ଷରେ ସମର୍ଥନ କରି ବି ସେ ଟ୍ୱିଟ କରିଛନ୍ତି । ଆୟାରଙ୍କ ମତ ଆମ ସଂସ୍କୃତି ଓ ପରମ୍ପରାକୁ ପ୍ରତିଫଳିତ କରିବା ସହ ସମଲିଙ୍ଗୀ ଉପରେ ସୁପ୍ରିମକୋର୍ଟଙ୍କ ମତର ଏକ ଅବତାରଣା ବୋଲି ମତ ରଖିଛନ୍ତି ବୈଜୟନ୍ତ ପଣ୍ଡା ।