ମୋଦିଙ୍କ ସପକ୍ଷରେ ବାହାରି ଟ୍ୱିଟରରେ ଟ୍ରୋଲ ହେଲେ ବୈଜୟନ୍ତ । ସୋସିଆଲ ମିଡିଆରେ ବୈଜୟନ୍ତଙ୍କ ୨୦ ବର୍ଷର ପାଇଲଟ ଜ୍ଞାନକୁ ପଦାରେ ପକାଇଲେ ୟୁଜର୍ସ

1,118

କନକ ବ୍ୟୁରୋ : ମୋଦି, ମେଘତତ୍ତ୍ୱ ଓ ବୈଜୟନ୍ତ । ପ୍ରଧାନମନ୍ତ୍ରୀଙ୍କ ମେଘୁଆ ପାଗ ଓ ରାଡାର ଉପାଖ୍ୟାନକୁ ସମର୍ଥନ କରି ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି ନୂଆ ନୂଆ ଚୌକିଦାର ସାଜିଥିବା ବୈଜୟନ୍ତ ପଣ୍ଡା । ପ୍ରଧାନମନ୍ତ୍ରୀଙ୍କ ରାଡାର ଉପାଖ୍ୟାନ ସମର୍ଥନ କରିବାକୁ ଯାଇ ଇଣ୍ଟରନେଟରୁ ଉଦାହରଣ ଆଣି ଟ୍ୱିଟରରେ ଥୋଇଛନ୍ତି ବୈଜୟନ୍ତ । କିନ୍ତୁ ଇଣ୍ଟରନେଟରୁ ସର୍ଚ୍ଚ କରି ବୈଜୟନ୍ତ ଆଣିଥିବା ଉଦାହରଣ ପାଇଁ ଏବେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି । ଦୀର୍ଘ ଦିନ ଧରି ପାଇଲଟ ରହିଥିବା ବୈଜୟନ୍ତଙ୍କ ଏହି ଟ୍ୱିଟ୍ ପରେ ତାଙ୍କ ପାଇଲଟ ଜ୍ଞାନ ଉପରେ ପ୍ରଶ୍ନ ଉଠାଇଛନ୍ତି ୟୁଜର୍ସ ।

ରାଡାର ଉପାଖ୍ୟାନ ପରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି । କିନ୍ତୁ ନୂଆ ନୂଆ ଚୌକିଦାର ଟ୍ୟାଗ୍ ନେଇଥିବା ବୈଜୟନ୍ତ ମୋଦିଙ୍କ ସମର୍ଥନରେ ଟ୍ୱିଟରରେ ନିଜର ଅଭିଜ୍ଞତା ବଖାଣିଥିଲେ । ୨୦ ବର୍ଷର ପାଇଲଟ ଅଭିଜ୍ଞତା ଥିବା ସତ୍ତେ୍ୱ ମଧ୍ୟ ମେଘୁଆ ପାଗ ପାଇଁ ରାଡାରରେ ବିମାନ ଧରାନପଡିବା ବିଷୟରେ ସେତେଟା ଜାଣିନଥିବା କହିଥିଲେ ନିଜେ ବୈଜୟନ୍ତ । ଏପରିକି ମୋଦିଙ୍କ ବୟାନକୁ ସତ ପ୍ରମାଣିତ କରିବାକୁ ଇଣ୍ଟରନେଟରୁ ସର୍ଚ୍ଚ କରି ରାଡାର ବିଶେଷଜ୍ଞଙ୍କ ଉକ୍ତିଙ୍କୁ ନିଜ ଟ୍ୱିଟରରେ ସେୟାର କରିଥିଲେ ବୈଜୟନ୍ତ । ଯାହାକୁ ନେଇ ୟୁଜର୍ସ କହିଛନ୍ତି, ୨୦ ବର୍ଷର ପାଇଲଟ ଥିବା ବୈଜୟନ୍ତ ମେଘୁଆ ପାଗ ଓ ରାଡାର ମଧ୍ୟରେ ସର୍ମ୍ପକ ଜାଣିବା ପାଇଁ ଇଣ୍ଟରନେଟର ସହାୟତା ନେବା ତାଙ୍କ ପାଇଲଟ ଜ୍ଞାନକୁ ପଦାରେ ପକାଇଛି ।

ଏପରିକି ଜଣେ ୟୁଜର୍ସ ଲେଖିଛନ୍ତି ବୈଜୟନ୍ତ କଣ ନିଜର ପାଇଲଟ ଟ୍ରେନିଂ କୋରାରୁ ନେଇଥିଲେ କି?

ସେହିଭଳି ଦେବାଶିଷ ନାମକ ୟୁଜର୍ସ ବୈଜୟନ୍ତଙ୍କୁ କଟାକ୍ଷ କରି ଲେଖିଛନ୍ତି, ଆମେ ଜାଣିଛୁ ନୂଆ ବସଙ୍କ ଭୁଲ ଲୁଚାଇବାକୁ ଆପଣ ପ୍ରୟାସ କରୁଛନ୍ତି । କିନ୍ତୁ ଆପଣ ମିଚିଗାନ ବୈଷୟିକ ବିଶ୍ୱବିଦ୍ୟାଳୟରୁ ପାଠ ପଢିଛନ୍ତି । ତେଣୁ ଯେତେବେଳେ ଆପଣ ନିଜର ବାୟୋଗ୍ରାଫିରେ ପାଇଲଟ ଭାବେ ୧୭୬୪ ଘଣ୍ଟା ହେଲିକପ୍ଟର ଉଡାଇଥିବା ଲେଖିଛନ୍ତି ସେଭଳିସ୍ଥଳେ ଏଟିସି ଓ ରାଡାର ବାବଦରେ ଜାଣିବା ପାଇଁ ଗୁଗୁଲର ସହାୟତା ନେବାର ଆବଶ୍ୟକତା ନାହିଁ ।

ସେହିଭଳି ଜଣେ ୟୁଜର୍ସ ଲେଖିଛନ୍ତି, ଆପଣ କୋରା ସହ ବିଚାରବିମର୍ଷ କରି କୁହନ୍ତୁ ଯେ, ଆକ୍ରମଣ କରିବାର ସଠିକ ସମୟ କେବେ । ଆକାଶ ମେଘାଚ୍ଛନ ଥିବା ବେଳେ ନା ପୂରା ଆକାଶ ସଫା ଥିବା ବେଳେ । କାରଣ ନୂଆ ସରକାର ଆକ୍ରମଣ କରିବାକୁ ପ୍ରସ୍ତୁତ ହେଲେ ଏହା ସହାୟକ ହେବ ।

ଅଭିଜିତ ବିଶ୍ୱାସ ନାମକ ୟୁଜର୍ସ ବ୍ୟଙ୍ଗାତ୍ମକ ଛଳରେ ଲେଖିଛନ୍ତି, ବୈଜୟନ୍ତ ଜଣେ ହେଲିକପ୍ଟର ପାଇଲଟ । ସେ ସବୁବେଳେ ବାଦଲର ତଳେ ଉଡିଥାନ୍ତି ଫାଇଟର ଜେଟ ଭଳି ବାଦଲ ଉପରେ ନୁହେଁ । ତେଣୁ ସେ ଜାଣିନାହାନ୍ତି ।

ପ୍ରଧାନମନ୍ତ୍ରୀଙ୍କ ରାଡାର ଓ ମେଘୁଆ ଉପାଖ୍ୟାନକୁ ବୈଜୟନ୍ତ ଟ୍ୱିଟ୍ କରି ଘୋଡାଇବାକୁ ଚେଷ୍ଟା କରୁଥିବା ବେଳେ ନିଜର ପାଇଲଟ ଜ୍ଞାନକୁ ପଦାରେ ପକାଇଛନ୍ତି । ୨୦ ବର୍ଷର ପାଇଲଟ ରହିଥିବା ବୈଜୟନ୍ତ ରାଡାର ଜ୍ଞାନ ପାଇଁ ଇଣ୍ଟରନେଟର ସାହାରା ନେଇ ଏବେ ୟୁଜର୍ସଙ୍କ ଟ୍ରୋଲର ଶିକାର ହୋଇଛନ୍ତି ।

ଏହାପୂର୍ବରୁ ବାଲାକୋଟ ପ୍ରସଙ୍ଗରେ ମୋଦି କହିଥିଲେ, ମେଘୁଆ ପାଗ ଯୋଗୁଁ ପାକିସ୍ତାନ ରାଡାରରେ ଆସିନଥିଲା ଭାରତୀୟ ଯୁଦ୍ଧ ବିମାନ । ମୋଦି କହିଛନ୍ତି, ପୁଲୱାମା ଆକ୍ରମଣ ପରେ ଭାରତ ପକ୍ଷରୁ ବାଲାକୋଟ୍ ଠାରେ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ପ୍ରସ୍ତୁତି ଆଲୋଚନା ହୋଇଥିଲା। ସେତେବେଳେ ପାଣିପାଗ ଅନୁକୂଳ ନଥିବାରୁ ଏହା ଅନ୍ୟ କୌଣସି ତାରିଖରେ କରିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ତେବେ ପ୍ରତିକୂଳ ପାଗ ଏବଂ ବର୍ଷା ଯୋଗୁଁ ପାକିସ୍ତାନ ରାଡାରରେ ଭାରତୀୟ ବାୟୁସେନା ବିମାନ ନଜର ଆସିବ ନାହିଁ ବୋଲି ଭାବି ସେ ସେହି ଦିନ ହିଁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲେ ବୋଲି ମୋଦୀ ସ୍ପଷ୍ଟ କରିଥିଲେ। ଯାହାକୁ ନେଇ ବିରୋଧୀ ଦଳ ସହ ସୋସିଆଲ ମିଡିଆରେ ମୋଦିଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।