ତଥାଗତଙ୍କ ଟୁଇଟର ଜବାବ ଦେଲେ ବୈଜୟନ୍ତ ! ନାଁ ନ’ନେଇ କହିଲେ, ବିଜେଡିରୁ ନିଲମ୍ବିତ ହୋଇ ଅନ୍ୟ ଦଳରେ ହୋଇଥିଲେ ସାମିଲ

30

କନକ ବ୍ୟୁରୋ : ଟ୍ୱିଟର ବାଦିପାଲାକୁ ନେଇ ବିଜେଡି ରାଜନୀତିରେ ଝଡ଼ । କିଏ ସେହି ବିଜେଡି ସାଂସଦ? କେଉଁ ବିଜେଡି ସାଂସଦ ଆଡକୁ ଇସାରା କରୁଛନ୍ତି ତଥାଗତ । ଏହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହି ଟ୍ୱିଟର ୱାର୍କୁ ଡେଇଁ ପଡ଼ିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ସିଏ ବି କାହାରି ନାଁ ନନେଇ ପ୍ରଶ୍ନର ଉତର ରଖିଛନ୍ତି । ଆଉ ଏହାରି ଭିତରେ ବିଜୁ ଜନତା ଦଳର ଦୁଇ ଜଣ ସାଂସଦଙ୍କ ନା’କୁ ନେଇ ଚର୍ଚ୍ଚା ।

ବିଜେଡିର ଦୁଇ ଜଣ ସାଂସଦକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜଣେ ହେଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ଯିିଏ, ମୋଦି ସରକାରଙ୍କୁ ଖୋଲାଖୋଲି ବାରମ୍ବାର ପ୍ରଶଂସା କରିଛନ୍ତି । ଆଉ ଖବରକାଗଜରେ ବଡ ବଡ ଲେଖାଲେଖି ବିଜେପିକୁ ୨୦୧୯ ପାଇଁ ସଫଳତାର ମନ୍ତ୍ର ପଠାଇଛନ୍ତି । ଆଉ ଜଣେ ହେଲେ କଟକ ସାଂସଦ ଭର୍ତୃହରି ମହତାବ । ଯିଏ ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତିପକାଇଥିଲେ । ଏମିତିକି କଂଗ୍ରେସ ସହ ମେଂଟ୍ ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲେ ।

ତେବେ , ଦଳକୁ ଭାଙ୍ଗିବା ପାଇଁ ବିଜେପିକୁ ସହଯୋଗ କରୁଛନ୍ତି ଜଣେ ବିଜେଡି ସାଂସଦ । ତଥାଗତ ଶତପଥୀଙ୍କ ଏହି ଟ୍ୱିଟ୍ ଏବେ ବିଜେଡି ରାଜନୀତିରେ ଝଡ଼ ସୃଷ୍ଟି କରିଛି । କାହାକୁ ଇସାରା କରୁଛନ୍ତି ବିଜେଡି ସାଂସଦ? ତଥାଗତ ଯେଉଁ ବିଭୀଷଣଙ୍କ କଥା କହିବାକୁ ଚାହୁଁଛନ୍ତି, ତାହା ସ୍ପଷ୍ଟ ହେବା ଆଗରୁ ଟ୍ୱିଟର୍ ବାଦିପାଲିରେ ସାମିଲ ହୋଇଯାଇଛନ୍ତି ବୈଜୟନ୍ତ ପଣ୍ଡା । କାହାରି ନାଁ ନନେଇ ଟୁଇଟର ଜବାବ ଦେଇଛନ୍ତି । ଲେଖିଛନ୍ତି, ସେ ନିଜ ଅଭିଜ୍ଞତାରୁ କହିଛନ୍ତି । ଏକଦା ସେ ଦଳକୁ ନିଲମ୍ବିତ ହୋଇ ଅନ୍ୟ ରାଜନୈତିକ ଦଳରେ ସାମିଲ ହୋଇଥିଲେ । ମୋର ସେଭଳି କିଛି ଅଭିଜ୍ଞତା ନାହିଁ ।

ଏହା ସ୍ପଷ୍ଟ ହେବା ପୂର୍ବରୁ କିନ୍ତୁ ବିଜେଡିର ବରିଷ୍ଠ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ ପୁଣି ଉଠାଇଛନ୍ତି ସେହି ବିଭିଷଣ ପ୍ରସଙ୍ଗ । ଯେଉଁଥରେ ସେ କହିଛନ୍ତି- ବିଭିଷଣ କ’ଣ ଦଳ ଭାଙ୍ଗନ୍ତି । ରାବଣ ଯାହା କରୁଛି ତାହା ପ୍ରଭୁ ରାମଚନ୍ଦ୍ରଙ୍କୁ ଜଣା । ଆଉ ଏଇ ସବୁ ଚାଲିଛି କ୍ଷମତା ଲଢ଼େଇ ପାଇଁ । ସେପଟେ ବିଜେଡି ନେତାଙ୍କ ଏହି ଟ୍ୱିଟର ୱାର ଭିତରେ କିନ୍ତୁ-ସିଧା ବାଣୀ ଶୁଣାଇଛନ୍ତି ବିଜେପି ନେତା ସୁରେଶ ପୂଜାରୀ । ବିଜେପି କେବେ କାହା ଘର ଭାଙ୍ଗି ନିଜ ଘର ସଜାଡେ ନାହିଁ । ବିଜେଡିରେ ବହୁ ନେତା ଅଲୋଡ଼ା ହୋଇପଡ଼ିଲେ ଯେଉଁଥି ପାଇଁ ଏହି ବୟାନ ଦେଉଛନ୍ତି ।

ତେବେ ଚର୍ଚ୍ଚା ଚାଲିଛି, ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବେଳେ ଶାସକ ଦଳର କିଛି ନେତା ଦଳ ପଦ୍ମ ପୋଖରୀକୁ ଡେଇଁବେ । ତଥାଗତଙ୍କ ଟୁଇଟ ଏହାକୁ ସ୍ପଷ୍ଟକରୁଥିବା ବେଳେ ବୈଜୟନ୍ତ କାହିଁକି କଥା ନିଜ ଉପରକୁ ନେଲେ ବୁଝାପଡୁନି । ବିଜେଡି ଭିତରେ କ୍ଷମତା ପାଇଁ ଚାଲିଥିବା ଲଢେଇର ଏହା ଅୟମାରମ୍ଭ ନୁହେଁ ତ?

ଏହା ସହ ଦେଖନ୍ତୁ ଏହି ଭିଡିଓ –