ସିଜ୍ ହେଲା ବୈଜୟନ୍ତଙ୍କ ହେଲିକପ୍ଟର ! ଚିଲିକା ଉପରେ ହେଲିକପ୍ଟର ଉଡାଇବା ନେଇ ଥିଲା ବିବାଦ ।

53

କନକ ବ୍ୟୁରୋ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ସିଜ୍ କଲା ପୋଲିସ୍ । ଚିଲିକାର ନୋ ଫ୍ଲାଇଙ୍ଗ୍ ଜୋନରେ ହେଲିକପ୍ଟର ଉଡାଇବା ଅଭିଯୋଗରେ ଏହାକୁ ସିଜ୍ କରିଛି ପୋଲିସ୍ । ଏହା ସହିତ ବୈଜୟନ୍ତଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ସାର୍ଥକ ଷଢ଼ଙ୍ଗୀ । ସେ କହିଛନ୍ତି ଡିଜିସିଏ ରିପୋର୍ଟ ଆଧାରରେ ତଦନ୍ତ ଆଗକୁ ବଢ଼ିଥିଲା । ହେଲିକପ୍ଟରରେ ବୈଜୟନ୍ତଙ୍କ ସମେତ ୨ଜଣ ଥିଲେ । ସମସ୍ତଙ୍କ ବୟାନ ରେକର୍ଡ କରାଯିବ । ଏନେଇ ତଦନ୍ତ ଜାରି ରହିଛି । ଇମ୍ଫାର ହ୍ୟାଙ୍ଗର ବା ପାର୍କିଂ ଅଂଚଳକୁ ସିଲ୍ କରିଛି ପୋଲିସ୍  ।

ଏହା ଧାର୍ଯ୍ୟ ଉଚ୍ଚତାରୁ ତଳେ ଉଡିଥିଲା କି ନାହିଁ , ତାହାର ତଥ୍ୟ ବ୍ଲାକବକ୍ସ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି । ଚିଲିକା ଉପରେ ବେଆଇନ ଭାବେ ହେଲିକପ୍ଟର ନେଇ ପୁରୀ ମେରାଇନ ଥାନାରେ ଅଭିଯୋଗ କରିଥିଲା ଚିଲିକା ଉନ୍ନୟନ କର୍ତୁପକ୍ଷ ଏସିଏଫ୍ ବିନୋଦ ଆଚାର୍ଯ୍ୟ । ଗତ ୧୫ ତାରିଖ ଦିନ ଅପରାହ୍ନ ପ୍ରାୟ ସାଢେ ଗୋଟାଏ ସମୟରେ ଧଳା ରଙ୍ଗର ଏକ ହେଲିକପଟର ଚିଲିକା ଉପରେ ଉଡିଥିଲା ବୋଲି ଏତଲାରେ ଦର୍ଶାଯାଇଥିଲା । ଏପରିକି ନିକଟସ୍ଥ ଅଂଚଳରେ ଲ୍ୟାଣ୍ଡ କରିବାକୁ ହେଲିକପଟରର ପାଇଲଟ ଚେଷ୍ଟାକରିଥିଲେ ବୋଲି କୁହାଯାଇଥିଲା । ନୋ ଫ୍ଲାଇଙ୍ଗ ଇକୋ ସେନସିଟିଭ ଜୋନରେ ହେଲିକପଟର ଉଡିବା ପରେ ଆପତ୍ତି ଉଠାଇଛି ସିଡିଏ । ଏହା ଲୋକଙ୍କ ଜୀବନ ଖାସକରି ପର୍ଯ୍ୟଟକ ଓ ଡଲଫିନଙ୍କ ପାଇଁ ବିପଦ ନେଇ ଆସିଥିଲା ।

ଅନ୍ୟପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ମୁଁ ଉଡାଉଥିବା ହେଲିକପ୍ଟରକୁ ଭୁବନେଶ୍ୱରରେ ଥିବା ଏୟାରପୋର୍ଟ ହ୍ୟାଙ୍ଗରରେ ସିଜ୍ କରାଯାଇଛି । ତୃତୀୟ ମହଲାର ନିର୍ଦେଶରେ ଏପରି କରାଯାଇଥିବା କିଛି ପୁଲିସ ତାଙ୍କୁ କହିଥିବା ଟ୍ୱିଟ୍ କରିଛନ୍ତି ବୈଜୟନ୍ତ । ଏଥିସହ ସେ ଆଗକୁ ଲେଖିଛନ୍ତି ଓଡିଶାରେ ଚାରିଆଡେ ବୁଲିବା ଉପରେ କଟକଣା ଲଗାଇବା ପାଇଁ ଖୋଲାଖୋଲି ଭାବେ ଉଦ୍ୟମ କରାଯାଇଛି । ମାତ୍ର ସେମାନେ ଅଟକାଇ ପାରିବେ ନାହିଁ ବୋଲି ଟ୍ୱିଟ୍ କରିଛନ୍ତି  ବୈଜୟନ୍ତ ପଣ୍ଡା ।