ବୈଜୟନ୍ତଙ୍କ ଟ୍ୱିଟ୍ ନେଇ ଓଡ଼ିଶା ରାଜନୀତିରେ ଝଡ଼ । ଓଡିଶାର ଆଇନ ବ୍ୟବସ୍ଥାକୁ ପାକିସ୍ତାନ ସହ ତୁଳନା ପରେ ବଢିଲା ଅଡୁଆ । ସ୍ପଷ୍ଟୀକରଣ ରଖିଲେ ବୈଜୟନ୍ତ ପଣ୍ଡା ।

998

କନକ ବ୍ୟୁରୋ: ଜିରାରୁ ସୀରା କାଢ଼ିଲେ ଯାହା ହୁଏ, ବୈଜୟନ୍ତ ପଣ୍ଡାଙ୍କ ଅବସ୍ଥା ଉଣା-ଅଧିକେ ହୁଏତ ସେଇଆ ହୋଇଛି । ଜଣେ ସାମ୍ବାଦିକଙ୍କ ବିରୋଧରେ ପୁଲିସ୍ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବାକୁ ଯାଇ, ବିଜେପି ରାଷ୍ଟୀୟ ଉପାଧ୍ୟକ୍ଷ ସୀମା ସେପଟକୁ ଯାଇଛନ୍ତି ଅର୍ଥାତ୍ ପାକିସ୍ତାନ ଯାଏଁ ପହଂଚିଯାଇଛନ୍ତି । ଆଉ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ସହ ଫାଶୀବାଦୀ ବ୍ୟବସ୍ଥା ବୋଲି କଟାକ୍ଷ କରିଛନ୍ତି ।

ନିଜ ଟୁଇଟରେ ବୈଜୟନ୍ତ ପଣ୍ଡା ଲେଖିଛନ୍ତି- ମହାରାଷ୍ଟ୍ର ଓ ଓଡ଼ିଶା ପୁଲିସ୍, ସାମ୍ବାଦିକଙ୍କୁ ଉଠାଇନେବା, ଦୁର୍ବ୍ୟବହାର କରିବା ଓ ହେପାଜତକୁ ନେଇ ଜେରା କରିବା ଲଜ୍ଜାଜନକ । ତା ପୁଣି, ପୁଲିସ ଆଇନର ବିନା ପ୍ରକ୍ରିୟାରେ କରୁଛି, ଠିକ୍ ପାକିସ୍ତାନ ଭଳି । ଏହା ହେଉଛି ପ୍ରକୃତ ଫାଶୀବାଦ । ବୈଜୟନ୍ତ ପଣ୍ଡାଙ୍କ ଏହି ଟ୍ୱିଟ୍ ଏବେ ଓଡ଼ିଶା ରାଜନୀତିରେ ଝଡ଼ ସୃଷ୍ଟି କରିଛି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି- ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ନିନ୍ଦନୀୟ । ଏପଟେ ବିଜେଡି ନେତା କହିଛନ୍ତି- ଉତରପ୍ରଦେଶ କିମ୍ବା ହରିୟାଣା ଭଳି ରାଜ୍ୟ ତାଙ୍କୁ ଦେଖାଯାଉନି କି ବୋଲି ପ୍ରଶ୍ନ କରିଛନ୍ତି । ଆଉ ବିଜେଡି ଓ କଂଗ୍ରେସର ଆକ୍ରମଣ ଭିତରେ ଫଶି ଯାଇଛି ବିଜେପି ।

ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟକୁ ନେଇ ନେତାଠୁ ଜନତା ସମସ୍ତେ ପ୍ରତିକ୍ରିୟା ରଖୁଥିବା ବେଳେ, ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ଆଉ ଗୋଟିଏ ପାଦ ଆଗକୁ ବଢ଼ି ଯାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ । ବୈଜନ୍ତୟ ଆହୁରୀ କହିଛନ୍ତି- ରାସ୍ତାରୁ ସାମ୍ବାଦିକଙ୍କୁ ଉଠାଇ ନେବା ଘଟଣା ପାକିସ୍ତାନର ବାଲୁଚିସ୍ତାନରେ ଘଟୁଥିବା ଆମେ ପଢିଛୁ । ଏବେ ଓଡ଼ିଶା ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଘଟୁଛି । ଆଇନ-ଶୃଙ୍ଖଳାର କଥା କହିବାକୁ ଯାଇ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । କେନ୍ଦ୍ରାପଡ଼ା ସାଂସଦ ଟ୍ୱିଟ୍ କରି ଲେଖିଛନ୍ତି- ମିଷ୍ଟର ପଣ୍ଡା ୨୦୧୯ରେ ଆପଣ ଏହି ମାଟିରୁ ପରାସ୍ତ ହୋଇଥିଲେ, ଯାହାକୁ ଆପଣ ପାକିସ୍ତାନ ସହ ତୁଳନା କରୁଛନ୍ତି । କେନ୍ଦ୍ରାପଡ଼ା କ’ଣ ପାକିସ୍ତାନରେ ଅଛି? ଯଦି ହଁ, ତୁରନ୍ତ ଓଡ଼ିଶା ଛାଡ଼ି ଚାଲିଯାଆନ୍ତୁ ।

ସେହିପରି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ କରି ଲେଖିଛନ୍ତି-ନିଜ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରିବା ଭଳି ଲଜ୍ଜାକର ଘଟଣା ଆଉ କିଛି ନାହିଁ । ଏହା ଓଡିଶା ସଂସ୍କୃତି, ଓଡିଆ ଲୋକଙ୍କ ପାଇଁ ଘୋର ଅସମ୍ମାନ । ତୁମର ସଦବୁଦ୍ଧି ଉଦୟ ହେଉ, ଏହା କେନ୍ଦ୍ରାପଡା ବାସୀଙ୍କ ପାଇ ଅପମାନ, ଓଡିଶା ପ୍ରତି ଅପମାନ । ବିଜେଡି ସାଂସଦ ସସ୍ମିତ ପାତ୍ର ଟ୍ୱିଟ୍ କରି ଲେଖିଛନ୍ତି- ବୈଜୟନ୍ତ ପଣ୍ଡାଙ୍କୁ ଓଡିଶା, ପାକିସ୍ତାନ ଭଳି ମନେ ହେବା ଦୁର୍ଭାଗ୍ୟଜନକ । ଯେଉଁ ରାଜ୍ୟ ତାଙ୍କୁ ସଂସଦର ଉଭୟ ସଦନକୁ ପଠାଇଥିଲା, କେନ୍ଦ୍ରାପଡାବାସୀ, ତୁଳସୀ କ୍ଷେତ୍ର ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା, ବୈଜୟନ୍ତ ପଣ୍ଡା ଓଡିଶାକୁ ପାକିସ୍ତାନ ସହ ତୁଳନା କରିବା ଓଡିଆଙ୍କ ପ୍ରତି ଅପମାନ, ଓଡିଆ ସଂସ୍କୃତିର ଅପମାନ ।

ତେବେ ଟ୍ୱିଟର ୱାର ପରେ ନିଜ ଟୁଇଟ ବାବଦରେ ସ୍ପଷ୍ଟୀକରଣ ରଖିଛନ୍ତି ବୈଜୟନ୍ତ । ମୁଁ ଯାହା କହିଥିଲି ତାହାର ଅର୍ଥକୁ ବିକୃତ କରିବାକୁ ବିଜେଡି ଆତୁର । ଯିଏ ଚାହିଁବେ ମୋ ଟୁଇଟ୍ ପଢିପାରିବେ, ସାକ୍ଷାତକାର ଦେଖିପାରିବେ । ଓଡିଶା ପାକିସ୍ତାନ ଭଳି ମୁଁ କହି ନଥିଲି । ଓଡିଶା ଓ ମହାରାଷ୍ଟ୍ର ପୋଲିସ ଆଇନଗତ ପ୍ରକ୍ରିୟାକୁ ଅବମାନନା କରିଛନ୍ତି । ଆଇନଗତ ପ୍ରକ୍ରିୟାକୁ ଅବମାନନା କରି ପାକ୍ ଭଳି ବ୍ୟବହାର କରୁଛନ୍ତି ବୋଲି ବୈଜୟନ୍ତ ସ୍ପଷ୍ଟୀକରଣ ଦେଇଛନ୍ତି ।