ବୈଜୟନ୍ତଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି ! ବିନା ଅନୁମତିରେ କିଭଳି ବ୍ୟବହାର କରୁଛନ୍ତି ହେଲିକପ୍ଟର, ଉଠାଇଲା ପ୍ରଶ୍ନ ।

299

କନକ ବ୍ୟୁରୋ : ବିଜେପି ନେତା ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜୁ ଜନତା ଦଳ । ବୈଜୟନ୍ତ ତାଙ୍କର ପ୍ରଚାର କାମରେ ହେଲିକପ୍ଟର ବ୍ୟବହାର ହେଉଥିବା ବେଳେ ଏହା ବ୍ୟବସାୟୀକ ହେଲିକପ୍ଟର ନୁହେଁ ବୋଲି ଦଳ ଅଭିଯୋଗ କରିଛି । ତାଙ୍କ ପାରିବାରିକ କମ୍ପାନୀ ଇମ୍ଫାର ହେଲିକପ୍ଟରକୁ କେମିତି ସେ ପ୍ରଚାର କାମରେ ବ୍ୟବହାର କରୁଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ଏହା ଦ୍ୱାରା ନିର୍ବାଚନ ଆଇନର ଉଲ୍ଲଂଘନ ହେଉଛି ବୋଲି ଦଳ କହିଛି । ଫଳରେ ଉଭୟ ବୈଜୟନ୍ତ ପଣ୍ଡା ଓ ଇମ୍ଫା ଆଇନର ଉଲ୍ଲଂଘନ କରିଛନ୍ତି ଏବଂ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ନିଜ ରାଜନୈତିକ ପ୍ରଚାର ପ୍ରସାର ପାଇଁ ବୈଜୟନ୍ତ ପଣ୍ଡା ଯେଉଁ ହେଲିକପ୍ଟର ବ୍ୟବହାର କରୁଛନ୍ତି, ତାର କମର୍ସିଆଲ୍ ଚାର୍ଟର ନାହିଁ । ନିର୍ବାଚନ କମିଶନଙ୍କ ନିୟମାବଳୀ ଅନୁଯାୟୀ, ଯଦି କେହି ହେଲିକପ୍ଟର ବ୍ୟବହାର କରୁଛନ୍ତି, ତେବେ ତାଙ୍କ ପାଖରେ ବ୍ୟବସାୟିକ ଭଡାରେ ଯିବା ପାଇଁ ଅନୁମତି ରହିବା ନିହାତି ଆବଶ୍ୟକ । ତେବେ ବୈଜୟନ୍ତ ଯେଉଁ ହେଲିକପ୍ଟର ବ୍ୟବହାର କରୁଛନ୍ତି, ତାହା ତାଙ୍କ ଖଣି କମ୍ପାନୀ ଇମ୍ଫାର ଅଟେ । ତେବେ ଅନୁମତି ନଥିବା ବେଳେ, କିପରି ବୈଜୟନ୍ତ ପଣ୍ଡା ନିଜ ରାଜନୈତିକ ପ୍ରଚାର ପ୍ରସାର ପାଇଁ ଏହି ହେଲିକପ୍ଟରର ବ୍ୟବହାର କରୁଛନ୍ତି, ସେନେଇ ପ୍ରଶ୍ନ ଉଠାଇଛି ବିଜେଡି ।

ଅନ୍ୟପଟେ ଏହି ହେଲିକପ୍ଟରରେ ବ୍ୟବହାର କରାଯାଉଥିବା ତେଲ ଏବଂ ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍ପାନୀ ବହନ କରୁଛି ନା ବୈଜୟନ୍ତଙ୍କ ନିର୍ବାଚନୀ ଖର୍ଚ୍ଚରେ ଏହା ନିର୍ଦ୍ଧାରିତ ହେଉଛି, ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ । ବେଆଇନ ଭାବେ ଏହି ହେଲିକପ୍ଟରର ବ୍ୟବହାର କରାଯାଉଥିବା ଅଭିଯୋଗ କରିବା ସହ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଇଓଙ୍କ ନିକଟରେ ଦାବି କରିଛି ବିଜେଡି ।