ବିଜେପିରେ ମିଶିଲେ ବୈଜୟନ୍ତ ପଣ୍ଡା । ନିର୍ବାଚନ ସମୀକରଣ ଉପରେ କଣ ରହିବ ପ୍ରଭାବ?

1,041

କନକ ବ୍ୟୁରୋ : ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ରାଜ୍ୟ ବିଜେପିରର ଶୀର୍ଷ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ବୈଜୟନ୍ତ । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଏବଂ କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ରାପଡା ସାଂସଦ ବିଜେପିରେ ଯୋଗ ଦେଇଛନ୍ତି । ଏହାସହ ଦୀର୍ଘଦିନ ଧରି ବୈଜୟନ୍ତ କେଉଁ ଦଳରେ ଯୋଗ ଦେବେ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡିଛି ।

ଏହାପୂର୍ବରୁ ଦଳବିରୋଧୀ କାମ ପାଇଁ ଗତବର୍ଷ ଜାନୁଆରୀ ୨୪ ତାରିଖରେ ବୈଜୟନ୍ତଙ୍କୁ ନିଲମ୍ବନ କରିଥିଲା ବିଜେଡି । ପରେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବୈଜୟନ୍ତ । ତେବେ ନିଲମ୍ବନର ଗୋଟିଏ ବର୍ଷ ପରେ ମଧ୍ୟ ବୈଜୟନ୍ତ କେଉଁ ଦଳରେ ଯୋଗ ଦେଇନଥିବା ବେଳେ ସେ ନୂଆ ଦଳ କରି ନୂଆ ରାଜନୈତିକ ଇନିଂସ ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ସେନେଇ ବୈଜୟନ୍ତ ପରେ ସଫେଇ ଦେବା ପରେ ନୂଆ ଦଳ ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଛେଦ ପଡିଥିଲା । ତେବେ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ବୈଜୟନ୍ତଙ୍କ ବିଜେପିରେ ଯୋଗଦାନ ରାଜ୍ୟ ରାଜନୀତିକୁ କେତେ ପ୍ରଭାବିତ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏହାବାଦ ବିଜେପି ଫୋକସରେ ଓଡିଶା ଥିବାରୁ ଏଠାରେ ବୈଜୟନ୍ତଙ୍କୁ କେଉଁ ଭୂମିକାରେ ଦେଖିବାକୁ ମିଳିବ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।