ବୈଜୟନ୍ତ ପଣ୍ଡାଙ୍କ ମୁଖା ଖୋଲିଲା ବିଜେଡି ! ୨୦୧୪ରେ ଆୟ ସର୍ମ୍ପକରେ ଦେଇଥିଲେ ଭୁଲ ତଥ୍ୟ, ୨୦୧୯ ସତ୍ୟପାଠରେ ଓଗାଳିଲେ ସତ ।

345

କନକ ବ୍ୟୁରୋ : ବୈଜୟନ୍ତଙ୍କ ବିରୋଧରେ ବିଜେଡି ଆଣିଲା ବଡ ଅଭିଯୋଗ । ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡାବାସୀଙ୍କୁ ଠକିଥିବା କହିଛି ବିଜେଡି ।୨୦୧୪ରେ ବୈଜୟନ୍ତ ନିଜ ଆୟ ସମ୍ପର୍କରେ ଭୁଲ ତଥ୍ୟ ଦେଇଥିଲେ । କୌଣସି ପାରିବାରିକ କମ୍ପାନୀରୁ ଆୟ ହେଉନଥିବା ସତ୍ୟପାଠରେ ଦର୍ଶାଇ ଥିଲେ ବୈଜୟନ୍ତ ପଣ୍ଡା ।କିନ୍ତୁ ୨୦୧୯ରେ ସତ୍ୟପାଠରେ ଏନେଇ ଉଲ୍ଲେଖ କରିଛନ୍ତି ବୈଜୟନ୍ତ । ଚାରିଆଡୁ ଚାପ ଓ ନିନ୍ଦା ପରେ ୨୦୧୯ରେ ପାରିବାରିକ କମ୍ପାନୀରୁ ନେଇଥିବା ଦରମା ବାବଦରେ ଦର୍ଶାଇଛନ୍ତି ବୈଜୟନ୍ତ ।

ଇମ୍ଫାରୁ ୩ ବର୍ଷ ପର୍ଯ୍ୟନ୍ତ ବର୍ଷକୁ ୨ କୋଟିରୁ ଅଧିକ ଦରମା ପାଇଥିବା ବୈଜୟନ୍ତ ସତ୍ୟପାଠରେ ଦର୍ଶାଇଛନ୍ତି । ଇମ୍ଫାର ବାର୍ଷିକ ରିପୋର୍ଟ ବାବଦରେ ୨୦୧୪ ନିର୍ବାଚନ ବେଳେ ସତ୍ୟପାଠରେ ଦର୍ଶାଇ ନଥିଲେ  ବୈଜୟନ୍ତ । ଏପରିକି ୨୦୧୪ ନିର୍ବାଚନ ସତ୍ୟପାଠରେ ବୈଜୟନ୍ତ ଇମ୍ଫାର ଭାଇସ ଚେୟାରମ୍ୟାନ ଥିବା ଦର୍ଶାଇନଥିଲେ । ଏଭଳି କହି କେନ୍ଦ୍ରାପଡାବାସୀଙ୍କ ବିଶ୍ୱାସ ସହ ଖେଳ ଖେଳିଛନ୍ତି ବୋଲ ବିଜେଡି କହିଛି । ଏହାକୁ ନେଇ ୨୦୧୮ରେ ବୈଜୟନ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହୋଇଥିଲା । କିନ୍ତୁ ଏବେ ବୈଜୟନ୍ତ ନିଜ ସତ୍ୟପାଠରେ ଏହାକୁ ଉଲ୍ଲେଖ କରିଛନ୍ତି । ତେବେ ବୈଜୟନ୍ତ କାହିଁକି ୨୦୧୪ରେ ମିଛ କହି କେନ୍ଦ୍ରାପଡାବାସୀଙ୍କୁ ଠକିଥିଲେ ତାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ସତ୍ୟପାଠରେ ବୈଜୟନ୍ତଙ୍କ ମୁଖା ଖୋଲିଯାଇଛି ବୋଲି ବିଜେଡି କହିଛି ।

ଏହାପୂର୍ବରୁ ବୈଜୟନ୍ତ ପଣ୍ଡା ନିର୍ବାଚନ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା କହି ଆସୁଥିଲା ବିଜେଡି । ଏପରିକି ବୈଜୟନ୍ତ ଯେଉଁଭଳି ଭାବେ ସତ୍ୟପାଠରେ ଭୁଲ ତଥ୍ୟ ଦେଇ କେନ୍ଦ୍ରାପଡାବାସୀଙ୍କୁ ଅନ୍ଧାରରେ ରଖିଥିଲେ ତାହାକୁ ନେଇ ପ୍ରାର୍ଥୀ ଘୋଷଣା ବେଳେ ତେରଛା ବାଣ ମାରିଥିଲେ ବିଜେଡି ସୁପ୍ରିମୋ । କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଅନୁଭବଙ୍କ ନାଁ ଘୋଷଣା କଲାବେଳେ ନବୀନ କହିଥିଲେ, ଅନୁଭବ କେବଳ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ କାମ କରିବେ । ସେ ଦାଖଲ କରିବାକୁ ଥିବା ସତ୍ୟପାଠରେ ଲୁଚାଇବା ପାଇଁ କିଛି ନାହିଁ । ମାଇନିଂ କଂପାନୀରେ କାମ କରି ସାଲାରୀ ନେବା ଆଉ ତାକୁ ଲୁଚାଇବା ଭଳି କାମ ସେ କରିବେ ନାହିଁ । ଆଉ ଏଭଳି କହି ବୈଜୟନ୍ତଙ୍କୁ ଟାର୍ଗେଟ କରିଥିଲେ ନବୀନ ।