କନକ ବ୍ୟୁରୋ : ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ କିଛି ଏହିପରି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ପୁଟିନ୍ ଦେଇଥିବା ପରମାଣୁ ଯୁଦ୍ଧର ଧମକକୁ ନେଇ ରୁଷିଆ ରାଷ୍ଟ୍ରପତିଙ୍କ ଉପରେ ବର୍ଷିଛନ୍ତି ବାଇଡେନ । ଆମେରିକା ପୁଟିନଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି ଏବଂ ୟୁକ୍ରେନ ସହ ଛିଡା ହୋଇଛି ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ରାଷ୍ଟ୍ରପତି ବାଇଡେନ୍ । ଦୀର୍ଘ ୭ ମାସରୁ ଅଧିକ ସମୟ ଧରି ରୁଷ ଅମାନୁଷିକ ଭାବେ ୟୁକ୍ରେନ ଉପରେ ଆକ୍ରମଣ କରିଆସୁଛି । ଏହାର ବିରୋଧରେ ୟୁକ୍ରେନ ମଧ୍ୟ ରୁଷକୁ ଟକ୍କର ଦେବାକୁ ଆପ୍ରାଣେ ଚେଷ୍ଟା ଚଲାଇଛି । ତେବେ ନିକଟରେ ପୁଟିନଙ୍କ ‘ପରମାଣୁ ବୋମା’ ଯୁଦ୍ଧର ଧମକ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି । ଯେଉଁଥିପାଇଁ ବାଇଡ଼େନ ପୁଟିନଙ୍କ ଉପରେ ରାଗିଯାଇ ଏଭଳି ମତ ଦେଇଛନ୍ତି । ପୁଟିନଙ୍କ ପରମାଣୁ ବୋମା ଧମକ ପରେ ‘ଏହା ଏକ ଲଜ୍ଜାଜନକ ନିଷ୍ପତି’ ବୋଲି ବାଇଡ଼େନ କହିଛନ୍ତିି । ମିଳିିତ ଜାତିସଂଘ ଚାହୁଁଚି ଯୁଦ୍ଧ ଶେଷ ହେଉ ଏବଂ ଆମେରିକା ମଧ୍ୟ ଏପରି ଚାହେଁ । ଯୁଦ୍ଧ ସମାଜ ପାଇଁ ଆଦୈା ଭଲ ନୁହେଁ ଏବଂ ଏହା ସମସ୍ୟାର ସମାଧାନ ନୁହେଁ ବୋଲି ବାଇଡ଼େନ ମିଳିତ ଜାତିସଂଘ ମହାସଭାରେ କହିଛନ୍ତି ।

Advertisment

ମିଳିତ ଜାତିସଂଘର ସାଧାରଣ ସଭାରେ ବାଇଡେନ୍ କହିଛନ୍ତି – “ଆମକୁ ଏପରି ପରିବେଶ ସୃଷ୍ଟି କରିବାକୁ ପଡ଼ିବ, ଯେଉଁଠି କେହି କାହାକୁ ନିଜର ଶତ୍ରୁ ବୋଲି ଭାବିବେ ନାହିଁ । ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରି ଜାତିସଂଘର ନିୟମକୁ ବେଖାତିର କରିଛି । ରୁଷିଆ ଅତି ଲଜ୍ଜାଜନକ ଭାବେ ନିୟମ ଉଲଘଂନ କରି ଅନାବଶ୍ୟକ ଭାବେ ଯୁଦ୍ଧ ଚଳାଇଛି ।”

ବୁଧବାର ଆମେରିକା ଓ ପାଶ୍ଚାତ୍ୟ ଦେଶ ଉଦ୍ଦେଶ୍ୟ ପରମାଣୁ ଯୁଦ୍ଧର ଧମକ ଦେଇଥିଲେ ରୁଷିଆ ରାଷ୍ଟ୍ରପତି । ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଯାଇ ପୁଟିନ୍ କହିଥିଲେ, ରୁଷିଆର ସୁରକ୍ଷା ଉପରେ ଯିଏ ବି ଆଖି ଉଠାଇବ ତାକୁ ପରମାଣୁ ଆକ୍ରମଣର ସାମ୍ନା କରିବାକୁ ପଡିବ । ଏହାସହ ପୁଟିନ୍ ୟୁକ୍ରେନକୁ ଆହୁରି ସୈନ୍ୟବଳ ପଠାଇବା ନେଇ ଘୋଷଣା କରିଥିଲେ । ଗତ ଫେବ୍ରୁଆରୀ ୨୪ ତାରିଖରେ ୟୁକ୍ରେନ ଉପରେ ପ୍ରଥମେ ଆକ୍ରମଣ କରିଥିଲା ରୁଷ । ସେବେଠାରୁ ରୁଷିଆ – ୟୁକ୍ରେନ ଯୁଦ୍ଧ ଜାରି ରହିଛି ।