ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ ନେଉଛନ୍ତି ତିନି ରଥ; ସେପଟେ ଜୁନ ୩୦ ରାତି ୧୦ଟାରୁ ଜୁଲାଇ ୨ ରାତି ୧୦ଟା ଯାଏଁ ପୁରୀରେ କର୍ଫ୍ୟୁ

196

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଜୋର । ଆଜି ତିନି ରଥ ଦକ୍ଷିଣ ମୋଡ ନେଉଛନ୍ତି ।  ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ପାଖକୁ ଆସିବେ ତିିନି ରଥ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ନୀତି ଆରମ୍ଭ ହୋଇଛି । ଶରଧବାଲିରେ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ହୋଇ ରହିବେ ତିନି ରଥ । ପରମ୍ପରା ଅନୁଯାୟୀ ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯିବ । ଏହାପରେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣ ମୋଡ଼ କରାଯିବ ।

ସେପଟେ ପୁରୀରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ଜାରି ହେଲା କର୍ଫ୍ୟୁ । ଜୁନ୍ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ ଟା ଯାଏ କର୍ଫ୍ୟୁ ବଳବତର ରହିବ । ସାରା ଜିଲ୍ଲାରେ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ବିଶେଷ କରି ପୁରୀରେ କଡା କଟକଣା ଲାଗୁ ହେବ । ପୁରୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍ କରାଯିବ । ବଡଦାଣ୍ଡରେ ଥିବା ସବୁ ଘର ଓ ଧର୍ମସ୍ଥଳକୁ ପ୍ରଶାସନ ପକ୍ଷରୁ ଯାଂଚ କରାଯିବ । ପରିବାର ସଦସ୍ୟଙ୍କ ବ୍ୟତୀତ ଘରେ ଅନ୍ୟ କେହି ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଦୋକାନ ବଜାର ବନ୍ଦ ରହିବ । ବିନା ଜରୁରୀ କାମରେ ପୁରୀ ବାସିନ୍ଦାଙ୍କୁ ବଡଦାଣ୍ଡକୁ ବାହାରିବାକୁ ମନା କରାଯାଇଛି । ତେବେ କର୍ଫ୍ୟୁ ସମୟରେ ସ୍ୱାସ୍ଥ୍ୟ ସେବା ଓ ଜରୁରୀ ସେବା ଜାରି ରହିବ । ରଥଯାତ୍ରା ଭଳି ବାହୁଡା ଯାତ୍ରା ପାଇଁ ପୁରୀ ବାସିନ୍ଦାଙ୍କ ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ ।

Comments are closed.