କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲାଣି ବାହୁଡା ପ୍ରସ୍ତୁତି, ଜନ୍ମବେଦୀରୁ ପୁଣିଥରେ ରତ୍ନବେଦୀକୁ ଫେରିବେ ଚତୂର୍ଦ୍ଧାମୂର୍ତ୍ତି । ଦର୍ପଦଳନ ଓ ତାଳଧ୍ବଜ ରଥ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ବାରରେ ଲାଗିଥିବା ବେଳେ ଆଜି ନନ୍ଦିଘୋଷ ରଥର ହେବ ଦକ୍ଷିଣ ମୋଡ଼। ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ଆଡ଼ପ ମଣ୍ଡପ ଦର୍ଶନ। ଶ୍ରଦ୍ଧାଳୁମାନେ ସିଂହଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରି ଚାରି ମୂରତିଙ୍କ ଦଶର୍ନ କରିବା ସହ ନାକଚଣା ଦ୍ବାର ଦେଇ ପ୍ରସ୍ତାନ କରୁଛନ୍ତି । ୧୫ ତାରିଖରେ ବାହୁଡା ଥିବା ବେଳେ ଆସନ୍ତକାଲି ସଂଧ୍ୟା ପର୍ଯ୍ୟନ୍ତ ଆଡପ ମଣ୍ଡପରେ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ବେଶ ଭିଡ଼ ପରିଲିକ୍ଷିତ ହେଉଛି ।
ସେପଟେ ମାଉସୀ ମା ମନ୍ଦିରରେ ପୋଡ଼ପିଠାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ବାହୁଡାଯାତ୍ରା ସମୟରେ ମହାପ୍ରଭୁ ମାଉସୀଙ୍କ ହାତରୁ ପୋଡ଼ ପିଠା ଖାଇ ଶ୍ରୀମନ୍ଦିର ଫେରିବାର ପରମ୍ପରା ରହିଛି । ହେରାପଞ୍ଚମୀ ତିଥିରେ ମା ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ ନପାଇବା ପରେ ଅଭିମାନ କରି ନନ୍ଦିଘୋଷ ରଥର ସାମାନ୍ୟ ଅଂଶ ଭାଙ୍ଗି ଶ୍ରୀମନ୍ଦିର ଫେରିଯାଇଛନ୍ତି । ଏହାପରେ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ଆଜ୍ଞାମାଳ ଆସିବା ପରେ ବାହୁଡା ପ୍ରସ୍ତୁତି ଆରମ୍ଭ ହୋଇଛି ।