ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ । ନନ୍ଦିଘୋଷ, ତାଳଧ୍ୱଜ, ଦେବଦଳନ ରଥର ଦକ୍ଷିଣ ମୋଡ । ଶରଧାବାଲିରେ ୧୪୪ ଧାରା । ୩ ଦିନ ହେଲା ପୁରୀରେ ସେବାୟତ, ପୋଲିସ, ସାମ୍ବାଦିକଙ୍କୁ ନେଇ ଚାଲିଛି ବ୍ୟାପକ କରୋନା ପରୀକ୍ଷା କୋଭିଡ୍ ଟେଷ୍ଟ ।

130

କନକ ବ୍ୟୁରୋ: ରଥଯାତ୍ରା ଭଳି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ବାହୁଡା ଯାତ୍ରା ସାରିବାକୁ ଅଂଟା ଭିଡିଛି ପୁରୀ ପ୍ରଶାସନ । ଫୋକସରେ ରହିଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ସରକାରଙ୍କ କୋଭିଡ ଗାଇଡଲାଇନ୍ । ରଥଟଣା ଓ ମହାପ୍ରଭୁଙ୍କ ସେବାରେ ସାମିଲ ହେବାକୁ ଥିବା ସେବାୟତଙ୍କ ଦୁଇଟି ପର୍ଯ୍ୟାୟରେ କୋଭିଡ୍ ଟେଷ୍ଟ କରାଯାଇଛି । ରଥଯାତ୍ରା ପରେ ୨୫ ତାରିଖରୁ ଏଯାଏ ପ୍ରାୟ ଅଢେଇ ହଜାର ସେବାୟତଙ୍କ କରୋନା ପରୀକ୍ଷା କରାଯାଇଲାଣି । ବଡ କଥା ହେଉଛି ପରୀକ୍ଷା ହୋଇଥିବା ସମସ୍ତ ସେବାୟତଙ୍କ ନମୁନା ନେଗେଟିଭ୍ ଆସିଛି । ..

ବାହୁଡା ଯାତ୍ରା ପାଇଁ ପୁରୀରେ ପ୍ରଶାସନ ପକ୍ଷରୁ ଚାଲିଛି ବଡ ଧରଣର କୋଭିଡ୍ ଟେଷ୍ଟ ଅଭିଯାନ । ସେବାୟତଙ୍କ ସମେତ ପୌରସଂସ୍ଥା, ସେସୁ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିିନିଧିଙ୍କ ମଧ୍ୟ କରୋନା ପରୀକ୍ଷା କରାଯାଉଛି । ଏଯାଏ ୨ହଜାରରୁ ଅଧିକ ପୋଲିସ କର୍ମଚାରୀଙ୍କ ପରୀକ୍ଷା ସରିଲାଣି । ଯେଉଁଥିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ଜୁଲାଇ ୧ ତାରିଖରେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା । ନଅ ଦିନର ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତି । କର୍ଫ୍ୟୁ ଓ କଟକଣା ଭିତରେ ବିନା ଭକ୍ତରେ ଅନୁଷ୍ଠିତ ହେବ ବାହୁଡା ଯାତ୍ରା । ଏଥିପାଇଁ ଜୁନ୍ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏ ପୁରା ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି । ବିଶେଷ କରି ପୁରୀ ବଡଦାଣ୍ଡରେ ଲାଗୁ ହେବ କଡା କଟକଣା । ବଡଦାଣ୍ଡରେ ଥିବା ସବୁ ଘର ଓ ଧର୍ମସ୍ଥଳକୁ ପ୍ରଶାସନ ପକ୍ଷରୁ ଯାଂଚ କରାଯିବ । ପରିବାର ସଦସ୍ୟଙ୍କ ବ୍ୟତୀତ ଘରେ ଅନ୍ୟ କେହି ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ..

ରଥଯାତ୍ରା ଭଳି ଶ୍ରୀଜିଉଙ୍କ ବାହୁଡା ଯାତ୍ରାରେ ମଧ୍ୟ ସେବାୟତ ମାନେ ହି ରଥଟାଣିବା ସମ୍ଭାବନା ରହିଛି ।

ଅଢେଇ ହଜାର ସେବାୟତଙ୍କ କରୋନା ପରୀକ୍ଷା
ପୌର, ସେସୁ, ମନ୍ଦିର ପ୍ରଶାସନ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିିନିଧିଙ୍କ ପରୀକ୍ଷା
୨ହଜାରରୁ ଅଧିକ ପୋଲିସ କର୍ମଚାରୀଙ୍କ ପରୀକ୍ଷା
ଜଣେ ପୋଲିସ କରୋନା ଆକ୍ରାନ୍ତ ଚିହ୍ନଟ

ଜୁନ୍ ୩୦ ରାତି ୧୦ରୁ ଜୁଲାଇ ୨ ରାତି ୧୦ ଯାଏ କର୍ଫ୍ୟୁ
ପୁରୀ ବଡଦାଣ୍ଡରେ କଡା କଟକଣା
ବଡଦାଣ୍ଡରେ ଥିବା ସବୁ ଘର ଓ ଧର୍ମସ୍ଥଳର ଯାଂଚ ହେବ
ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କେହି ଥିଲେ କାର୍ଯ୍ୟାନୁଷ୍ଠାନ