ନଅ ଦିନ ପରେ ନୀଳାଚଳକୁ ବାହୁଡିବେ ଜଗାବଳିଆ: ଅପେକ୍ଷା କରିଛି ଶ୍ରୀମନ୍ଦିର, ଅପେକ୍ଷା କରିଛନ୍ତି ମାଆ ଲକ୍ଷ୍ମୀ

164

କନକ ବ୍ୟୁରୋ: ରାତି ପାହିଲା, ସିନ୍ଦୂରା ଫାଟିଲା । ବଡ ମନ୍ଦିରକୁ ବଡ ଠାକୁରଙ୍କ ଫେରିବାର ଦିନ ଆସିଲା । ଶ୍ରୀମନ୍ଦିରକୁ ଛାଡି ୯ ଦିନ ଧରି ଯାଇଥିବା ଶ୍ରୀଜିଉ ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ । ମାଉସୀ ଘରେ ଲୀଳାଖେଳା ସାରି ଭାଇଭଉଣୀଙ୍କୁ ଧରି ଆଜି ବାହୁଡି ମହାବାହୁ । ଯାହାକୁ ଚାହିଁ ରହିଛନ୍ତି ସମସ୍ତେ । ମହାବାହୁଙ୍କ ମହାଦର୍ଶନ ପାଇଁ ଆଖିରେ ଆଖିଏ ଅପେକ୍ଷା ନେଇ ଚାହିଁ ବସିଛି ଭକ୍ତ, ଚାହିଁ ବସିଛି ସାରା ଜଗତ ।


ଗତକାଲି ସନ୍ଧ୍ୟା ଦର୍ଶନ ପରେ ସଅଳ ଶୋଇ ପଡିଥିଲେ ଶ୍ରୀଜିଉ । ରତ୍ନବେଦୀକୁ ଫେରିବେ ବୋଲି କାଲି ଯଲଦି ଶୁଆଇ ଦେଇଥିଲା ମାଉସୀ ମାଆ । ଆଉ କାଳିଆ ସାଆନ୍ତ ଶୋଇଯିବା ପରେ ତାଙ୍କ ଆଗମନୀକୁ ଅପେକ୍ଷା କରିଥିଲା ସାରା ବିଶ୍ୱ । ପ୍ରଭୁଙ୍କ ଖୋଲା ଦର୍ଶନ ପାଇଁ କୋଟି କୋଟି ଭକ୍ତ ପୁରୀର ବିଭିନ୍ନ ସ୍ଥାନରେ ଅପେକ୍ଷା କରିଥିବା ବେଳେ ଅନେକ ଭକ୍ତ ଶରଧାବାଲି ଆଉ ଶ୍ରୀମନ୍ଦିର ଆଗରେ ଶୋଇ ରହି ରାତି ପାହିବାକୁ ଅପେକ୍ଷା କରିଥିଲେ ।


ସେପଟେ ଖାଲି ଭକ୍ତ ନୁହଁନ୍ତି ମହାପ୍ରଭୁଙ୍କୁ ଅପେକ୍ଷା କରିଛି ଶ୍ରୀମନ୍ଦିର, ଅପେକ୍ଷା କରିଛି ନୀଳକନ୍ଦର । ନଅ ଦିନ ଧରି ନିଜର ପ୍ରଭୁଙ୍କୁ ନଦେଖି ନୀଳକନ୍ଦର ଆଖିରୁ ନିଦ ହଜି ଗଲାଣି । ଆଉ ଅପେକ୍ଷା ଅଶ୍ରୁରେ ବଦଳି ଗଲାଣି । ତେଣୁ ଆଜି ମହାବାହୁ ନୀଳାଚଳକୁ ଫେରୁଥିବାରୁ କାଲି ରାତିରୁ ନୀଳକନ୍ଦର ଆଖିରେ ନିଦ ନାହିଁ । ଶ୍ରୀଜିଉ ଫେରୁଛନ୍ତି ବୋଲି ନିଜକୁ କାଲି ରାତିରୁ ସଜେଇ ଚାଲିଛି ନୀଳକନ୍ଦର ।


ଶ୍ରୀମନ୍ଦିରରେ ଏକଲା କରି ମାଉସୀ ଘରକୁ ଚାଲି ଯାଇଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଛନ୍ତି ମହାଲକ୍ଷ୍ମୀ । ଆଉ ଅଭିମାନ ନଭାଙ୍ଗିବା ଯାଏଁ ସେ ପ୍ରଭୁଙ୍କୁ ଘର ଭିତରକୁ ଛାଡିବେନି ବୋଲି ପଣ ବି କରିଛନ୍ତି । ହେଲେ ସେ ଅଭିମାନ କଣ ସତ ସତିକା ଅଭିମାନ । ନିଜର ମଣିଷ ଉପରେ କେହି କଣ ଏତେ ଦିନ ଅଭିମାନ କରିପାରେ । ଠିକ ସେହିଭଳି ମାଆ ଲକ୍ଷ୍ମୀଙ୍କ ଅଭିମାନ ଆଉ ଅଭିମାନ ହୋଇ ନାହିଁ ତାହା ଅପେକ୍ଷାରେ ବଦଳି ଗଲାଣି । ତେଣୁ ଲକ୍ଷ୍ମୀ ଠାକୁରାଣୀ ବି ମହାବାହୁଙ୍କ ଆଗମନୀକୁ ଅପେକ୍ଷା କରିଛନ୍ତି । ତାଙ୍କ ଚକାଡୋଳାକୁ ଟିକେ ମନ ପୂରାଇ ଦେଖିବାକୁ ଚାତକ ପରି ଚାହିଁ ରହିଛନ୍ତି ।
କେତେବେଳେ ହେବ ରଥଟଣା ଆଉ କେତେବେଳେ ଆସିବେ ଜଗତରନାଥ, ସେହି ମୁହୂର୍ତ୍ତକୁ ସମସ୍ତଙ୍କ ଅପେକ୍ଷା ଥିବା ବେଳେ ଏହାରି ଭିତରେ ସରିଲାଣି ପ୍ରଭୁଙ୍କ ଅନେକ ରୀତିନୀତି । ବାସ୍ ଦିନ ୪ଟାକୁ ଅପେକ୍ଷା…