କନକ ବ୍ୟୁରୋ : ବିଶ୍ବନିୟନ୍ତାଙ୍କ ବିଶ୍ବପ୍ରସିଦ୍ଧ ବାହୁଡ଼ାଯାତ୍ରା। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିବେ ମହାପ୍ରଭୁ। ଅଭିମାନିନୀ ମା’ ଲକ୍ଷ୍ମୀଙ୍କର କରିବେ ମାନଭଞ୍ଜନ। ଏଥିପାଇଁ ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ସାଢ଼େ ୬ଟାରେ ମହାପ୍ରଭୁଙ୍କ ପହୁଡ଼ ଆଳତି ପରେ ବାହୁଡ଼ା ପହଣ୍ଡି ପାଇଁ ସୋମବାର ସନ୍ଧ୍ୟାରେ ମହାପ୍ରଭୁଙ୍କ ଶ୍ରୀମୁଖ ଖଣ୍ଡୁଆ ସହ ବାହୁଟ କଣ୍ଟ, ଚାର ବନ୍ଧା, କୁସୁମିଲାଗି ନୀତି ଆରମ୍ଭ ହୋଇଛି । ତିନି ରଥରେ ବି ଚାରମାଳ ବନ୍ଧା ଶେଷ ହୋଇଛି ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାହୁଡ଼ାଯାତ୍ରା ପାଇଁ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ଭୋର୍ ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୫ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ ହୋଇଛି । ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳବଲ୍ଲଭ ଓ ସକାଳଧୂପ(ଖେଚୁଡ଼ି ଭୋଗ) ନୀତି ସମ୍ପନ୍ନ ହୋଇଛି । ସକାଳ ୭ଟାରେ ଦଇତାପତି ସେବକମାନେ ସେନାପଟା ଲାଗି ପାଇଁ ପ୍ରବେଶ କରିବେ। ପୂର୍ବାହ୍ଣ ସାଢ଼େ ୧୧ଟା ସୁଦ୍ଧା ସେନାପଟା ଲାଗି ଶେଷ ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ବାହୁଡ଼ା ପହଣ୍ଡି ଆରମ୍ଭ ହେବ ।
ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ସାଢ଼େ ୨ଟା ଭିତରେ ବାହୁଡ଼ା ପହଣ୍ଡି ଶେଷ ପରେ ରଥ ଉପରେ ଅପରାହ୍ଣ ୧ଟାରୁ ସାଢ଼େ ୨ଟା ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶ ଶେଷ ହେବ। ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ। ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ । ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ପରେ ଜୁଲାଇ ୨୧ରେ ସୁନାବେଶ, ଜୁଲାଇ ୨୨ରେ ଅଧରପଣା ନୀତି, ଜୁଲାଇ ୨୩ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/BAHUDIBE-MAHABAHU_00025-750x430.png)