ବାହୁଡ଼ା ପୂର୍ବରୁ ବଡ଼ ଘୋଷଣା । ଜୁନ୍ ୩୦ ରାତିରୁ ପୁରୀରେ କର୍ଫ୍ୟୁ, ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ ସାରା ଜିଲ୍ଲାରେ ଲାଗୁ ହେବ କର୍ଫ୍ୟୁ ।

1,600

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ବାହୁଡ଼ା ଯାତ୍ରା ପାଇଁ ଆସନ୍ତା ୩୦ ତାରିଖ ରାତି ଠାରୁ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ । ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, କର୍ଫ୍ୟୁ ସମୟରେ ଜିଲ୍ଲାରେ ଲୋକଙ୍କର ଯାତାୟତ ଉପରେ ନଜର ରଖାଯିବ । ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ଯିବାକୁ ଯିବା ପାଇଁ ଅନୁମତି ମିଳିବ ନାହିଁ ।

ସେହିପରି ଜିଲ୍ଲା ପ୍ରଶାସନ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କଟକଣା ଲାଗୁ କରିଛି । ଏହି ୪ ଦିନ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକଙ୍କୁ ନରଖିବାକୁ ହୋଟେଲ ଓ ଲଜ୍‌ ମାଲିକମାନଙ୍କୁ ନିର୍ଦ୍ଦେଶ ହୋଇଛି । ବଡ଼ଦାଣ୍ଡରେ ଥିବା ବ୍ୟକ୍ତିଗତ ଘର, ଧାର୍ମିକ ଅନୁଷ୍ଠାନର ସର୍ଭେ ହେବ । ଲୋକେ ନିଜ ଘରେ କେବଳ ନିଜେ ରହିପାରିବେ । ବାହାର ଲୋକଙ୍କୁ ଘରେ ରଖିପାରିବେ ନାହିଁ । ଜିଲ୍ଲାପାଳ ଶ୍ରୀ ସିଂହ ଲୋକଙ୍କ ନିକଟରେ ଅପିଲ କରିଛନ୍ତି ଯେ, ସେମାନେ ଘରେ ରହି ପ୍ରଭୁଙ୍କ ଦର୍ଶନ କରନ୍ତୁ ।

ସୂଚନାଯୋଗ୍ୟ, ଗତ ୨୨ ତାରିଖ ରାତି ୯ଟାରୁ ୨୪ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ରଥଯାତ୍ରା ଉପଲକ୍ଷେ ବଡ଼ଦାଣ୍ଡରେ କର୍ଫ୍ୟୁ ଓ ପୂରା ଜିଲ୍ଲାରେ ସଟ୍‌ଡାଉନ କରାଯାଇଥିଲା । ରଥଯାତ୍ରାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରାଶସନ ପକ୍ଷରୁ ଏହି ପଦପେକ୍ଷ ନିଆଯାଇଥିଲା । ବାହୁଡ଼ା ଯାତ୍ରା ଉପଲକ୍ଷେ ପ୍ରଶାସନ ପୁନର୍ବାର ଏହି ପଦକ୍ଷେପ ନେଇଛି । ଜୁଲାଇ ୧ ତାରିଖରେ ବାହୁଡ଼ା ଯାତ୍ରା ଥିବାରୁ ଭକ୍ତଙ୍କ ଭିଡ଼କୁ ରୋକିବା ଲକ୍ଷ୍ୟରେ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି । ଅନ୍ୟପଟରେ ବାହୁଡ଼ା ଯାତ୍ରାରେ ଯେଉଁ ସେବାୟତମାନେ ସାମିଲ ହେବେ ସେମାନଙ୍କର କୋଭିଡ ନମୁନା ପରୀକ୍ଷା ଜାରି ରହିଛି ।