ରଥଖଳାରେ ଜଗାର ଆଉ ଜଣେ ବାହୁବଳୀ ସେବାୟତ । ହାତରେ କୋରାମୁଣ୍ଡା, ଛାତିରେ ସାହସ ନେଇ ଗଢୁଛନ୍ତି ନନ୍ଦିଘୋଷ । ୧୪ ବର୍ଷ ହେଲା ମହାପ୍ରଭୁଙ୍କ ସେବାରେ ମାନସ ଭୋଇ ।

175

କନକ ବ୍ୟୁରୋ : ମହାପ୍ରଭୁଙ୍କ ଆଉ ଜଣେ ବାହୁବଳୀ ସେବାୟତ । ଗତ କିଛି ବର୍ଷ ହେବ ମହାପ୍ରଭୁଙ୍କ ବାହୁବଳୀ ସେବାୟତ ଭାବେ ଅନୀଲ ଗୋଚ୍ଛିକାରଙ୍କୁ ଆମେ ଜାଣିଆସୁଛୁ । ରଥଯାତ୍ରାରେ ମହାପ୍ରଭୁଙ୍କ ରଥ ପାଖରେ ଛିଡା ହୋଇଥିବା ବେଳେ ତାଙ୍କର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଆଉ ସେତେବେଳେ ଭକ୍ତ ମହଲରେ ସେ ବାହୁବଳୀ ସେବାୟତର ଆଖ୍ୟା ପାଇଥିଲେ । ଅନୀଲଙ୍କ ଭଳି ଚଳିତବର୍ଷ ମଧ୍ୟ ମହାପ୍ରଭୁଙ୍କ ଆଉ ଜଣେ ବାହୁବଳୀ ସେବାୟତ ସୋସିଆଲ ମିଡ଼ିଆର ସେନସେସନ ପାଲଟିଛନ୍ତି । ଯାହାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ବଳିଷ୍ଠ ଚେହେରା ସାଙ୍ଗକୁ ମୁଣ୍ଡରେ ଠେକା, ହାତରେ କୋରାମୁଣ୍ଡା । ଗୋଟିଏ ନିଃଶ୍ୱାସରେ କାଠକୁ ଚାଲିଛନ୍ତି ପ୍ରହାର । କାରଣ ସେ ଜାଣିଛନ୍ତି ଯଦି ତାଙ୍କ ହାତ ଅଟକିଯାଏ, ଆଉ ସେ ଥକି ପଡନ୍ତି ତେବେ ମହାପ୍ରଭୁଙ୍କ ରଥକାମ କିଏ କରିବ? ରଥଖଳାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ମହାପ୍ରଭୁଙ୍କ ଭୋଇ ସେବାୟତ ଶାସନଚନ୍ଦ୍ରପୁରର ମାନସ ଭୋଇ । ଦୀର୍ଘ ୧୪ ବର୍ଷ ହେବ ମହାପ୍ରଭୁଙ୍କର ସେ ସେବା କରି ଆସୁଛନ୍ତି । ବଡଦାଣ୍ଡରେ ତାଙ୍କୁ ଯିଏ ବି କାମ କରିବାର ଦେଖିଛି, ସିଏ କ୍ଷଣିକେ ଅଟକି ଯାଇଛି । କାରଣ ମହାପ୍ରଭୁଙ୍କ କାମ ଆରମ୍ଭ କରିବା ମାତ୍ରେ ତାଙ୍କ ଶରୀରରେ ଯେପରି ଚାଲିଆସେ ଶତସିଂହର ବଳ । କି ଖରା, କି ବର୍ଷା, ମହାପ୍ରଭୁଙ୍କ ଉପରେ ରହିଛି ମାନସଙ୍କର ପୂରା ଭରସା । ସେଥିପାଇଁ ତ ଭୋଇ ସେବାୟତ ଭାବେ ରଥ ନିର୍ମାଣର କଷ୍ଟଦାୟକ କାମ କରିବାକୁ ଅକ୍ଲେଶରେ କରିବାକୁ ସେ ଆଗେଇ ଆସନ୍ତି ।

ମାନସ ଯେତେବେଳେ ରଥର ଚକରେ ଅର ସଂଯୋଗ କରିଥାନ୍ତି ସେତେବେଳେ ତାଙ୍କ ବାହୁବଳୀ ଅବତାର ଦେଖିବାକୁ ମିଳିଥାଏ । ତାଙ୍କର ଶିରା ପ୍ରଶିରା ଯେପିରି ମହାବାହୁଙ୍କ ସେବା ପାଇଁ ଜାଗ୍ରତ ହୋଇ ଉଠେ । ଆଉ କୋରାମୁଣ୍ଡା ଥରେ ଉଠାଇବା ମାତ୍ରେ ରଥକାମ ଶେଷ ନହେବା ଯାଏଁ ହାତ ଅଟକିନଥାଏ , ଶରୀର ଥକିନଥାଏ । କାଳିଆର ସେବା କରୁଛନ୍ତି ବୋଲି ଟାଇଁ ଟାଇଁ ଖରାରେ ବି କ୍ଲାନ୍ତ ହୁଅନ୍ତି ନାହିଁ ମାନସ । କିନ୍ତୁ ଭାବବିନୋଦିଆ ନିଜ ସେବାୟତର ଏଭଳି କଷ୍ଟକୁ ବେଶ ଭଲଭାବେ ବୁଝିପାରେ । ସେଥିପାଇଁ ତ ସତେଯେପରି ଇନ୍ଦ୍ରଙ୍କୁ ଇସାରା ଦିଅନ୍ତି ଆଉ ତାପରେ ବଡ଼ଦାଣ୍ଡରେ ସେବାୟତଙ୍କ ଝାଳ ଭିଜା ଦେହକୁ ଭିଜାଇ ଦିଏ ଝିପିଝିପି ବର୍ଷା ।  କେବଳ ମାନସ କାହିଁକି ବଡଦାଣ୍ଡରେ ରଥକାମ କରୁଥିବା ସମସ୍ତ ସେବାୟତ ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି  । ଆଉ ସେହି ସର୍ମପଣ ଭାବ ସାଆନ୍ତେଙ୍କ ସେବା ପାଇଁ ଶକ୍ତି ଯୋଗାଉଛି ।