‍ବାହନାଗା ହାଇସ୍କୁଲର ହେବ ପୁନଃନିର୍ମାଣ । ୫ଟି ଉପକ୍ରମରେ ମଡେଲ ସ୍କୁଲ ଭାବରେ ହେବ ଗଢା

368

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲାର ବାହାନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗାଯିବ. ୫ଟି ଉପକ୍ରମରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାହାନଗା ରେଳଷ୍ଟେସନରେ ସଂଗଠିତ ଭୟାବହ ରେଳ ଦୂର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମରଶରୀରକୁ ସାମୟିକ ଭାବରେ ବାହନଗା ହାଇସ୍କୁଲରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଶବ ଗୁଡିକୁ ଅନ୍ୟତ୍ର ନିଆଯାଇ ସ୍କୁଲ ବିଶୋଧନ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣଙ୍କ ମଧ୍ୟରେ ଭୟ ରହିଛି । ତେଣୁ ସ୍କୁଲ ଭାଙ୍ଗି ଏହାର ପୁନଃନିର୍ମାଣ ସମ୍ପର୍କରେ ବିଭିନ୍ନ ମହଲରେ ଦାବି ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ୫-ଟି ସଚିବ ଭି.କେ. ପାଣ୍ଡିଆନ, ସ୍କୁଲ ଗଣଶିକ୍ଷା ସଚିବ ଏସ୍. ଅଶ୍ୱସ୍ତି ଭିଡିଓ କନଫରେନ୍ସିଂ ଯୋଗେ ବାଲେଶ୍ୱର ଜିଲ୍ଲାପାଳ, ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ, ସମସ୍ତଙ୍କର ମତାମତ ନେଇଥିଲେ । ଯେହେତୁ ଛାତ୍ରଛାତ୍ରୀ ଅଭିବାବକ ଓ ଶକ୍ଷକ ଶିକ୍ଷୟତ୍ରୀ ମଧ୍ୟରେ ସେଦିନର ଭୟଙ୍କର ଦୃଶ୍ୟ ଏବେବି ସେମାନଙ୍କ ମନରେ ଭୟ ସୃଷ୍ଟି କରିଛି ଏବଂ ସେମାନେ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି ତେଣୁ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ବାହନଗା ହାଇସ୍କୁଲ ଓ ଏହାର ପରିସରରେ ଥିବା ପ୍ରାଥମିକ ସ୍କୁଲକୁ ଭାଙ୍ଗି ତାର ପୁନଃନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।