କନକ ବ୍ୟୁରୋ: ରିମାଣ୍ଡ ଅବଧି ସରିବା ପରେ କୋର୍ଟରେ ହାଜର ହେଲେ ବାହାନଗା ରେଳ ଦୁର୍ଘଟଣାରେ ଗିରଫ ତିନି ଅଭିଯୁକ୍ତ । ସିଗିନାଲ ସିନିୟର ସେକ୍ସନ୍ ଇଂଜିନିୟର ଅରୁଣ ମହନ୍ତ, ସେକ୍ସନ୍ ଇଂଜିନିୟର ମହମ୍ମଦ ଅମିର ଖାନ୍ ଓ ଟେକ୍ନିସିଆନ୍ ପପୁ କୁମାରଙ୍କୁ ଆହୁରି ୫ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଛି ସିବିଆଇ । ସେପଟେ ଅରୁଣ ମହନ୍ତଙ୍କ ବେଲ ପାଇଁ ଆଇନଜୀବୀ ପ୍ରଭାତ ସାମନ୍ତରାୟ ଓ ଅମିର ଖାନ୍ଙ୍କ ବେଲ ପାଇଁ ଆଇନଜୀବୀ ଲଲାଟେନ୍ଦୁ ପ୍ରଧାନ ଆବେଦନ କରିବେ । ଅରୁଣ ମହନ୍ତଙ୍କ ଆଇନଜୀବୀ ପ୍ରଭାତ ସାମନ୍ତରାୟ ପ୍ରତିକ୍ରିୟା ଦେଇ କହିଛନ୍ତି, ଘଟଣାରେ ତରବରିଆ ଭାବେ ଗିରଫ କରିଛି ସିବିଆଇ । ଏହା ଏକ ଅତି ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହି ଗିରଫଦାରି କରାଯାଇଛି । ଘଟଣା ଦିନ ଅରୁଣ ମହନ୍ତ ଉପସ୍ଥିତ ନଥିଲେ । ସେମାନଙ୍କୁ ରିମାଣ୍ଡରେ ନେଇ ନିର୍ଯାତନା ଦେଇପାରେ ସିବିଆଇ । ପୂର୍ବରୁ ଅଭିଯୁକ୍ତଙ୍କୁ ଜେରା ପାଇଁ ୭ ଦିନିଆ ରିମାଣ୍ଡ ମାଗିଥିବାବେଳେ କୋର୍ଟ ୫ ଦିନର ରିମାଣ୍ଡ ଅନୁମତି ଦେଇଥିଲେ । ଯାହା ଆଜି ଶେଷ ହୋଇଛି । ଗତକାଲି ସିଗନାଲିଂ ସମ୍ପର୍କିତ ଦୁଇଜଣ କର୍ମଚାରୀଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେରା କରିଥିଲା ସିବିଆଇ ।