ବାହନଗା ଦୁର୍ଘଟଣାକୁ ପୂରିଲାଣି ୮ ମାସ, ହେଲେ ଏବେ ଆହତ ହେଉଛନ୍ତି ହନ୍ତସନ୍ତ । ଭୁବନେଶ୍ୱର ଏମ୍ସରେ ସହାୟତା ଅପେକ୍ଷାରେ ସଲିମ୍

382

କନକ ବ୍ୟୁରୋ : ସେଦିନର ସେଇ ଅଘଟଣକୁ ସିନା ଦୁନିଆ ଭୁଲି ଯାଇଛି, ହେଲେ ଯିଏ ଅଙ୍ଗେ ନିଭେଇଛି, ଯନ୍ତ୍ରଣାକୁ ଅନୁଭବ କରିଛି, ଯେତେ ଭୁଲିବାକୁ ଚେଷ୍ଟା କଲେ ବି ଭୁଲି ପାରୁନି । ଜୀବନ ବଂଚି ଯାଇଥିବାରୁ ଭଗବାନକୁ ଧନ୍ୟବାଦ ଦେବେ ନା’ ଯନ୍ତ୍ରଣା ପିଛା ଛାଡୁନଥିବାରୁ ଅଭିମାନ କରିବେ ଜାଣି ପାରୁନାହାଁନ୍ତି ଏସ୍୍କେ ସଲିମ୍ । କେଉଁ ମାନସିକ ଅବସ୍ଥାରେ ବଂଚୁଛନ୍ତି ସଲିମ୍ ଥରେ ଚିନ୍ତା କରନ୍ତୁ । ୮ ମାସରେ ୫-୫ ଥର ଅପରେସନ୍ । ବାଲେଶ୍ୱରରୁ କଟକ, କଟକରୁ ଭୁବନେଶ୍ୱର ଏମ୍ସ । ମାସ ମାସ ଧରି ଚିକିତ୍ସା ପରେ ବି, ଶରୀରରୁ ନା’ ଯନ୍ତ୍ରଣା ଯାଉଛି ନା’ ଆଖିକୁ ନିଦ ଆସୁଛି । ହସ୍ପିଟାଲ ବେଡରେ ପଡ଼ି ରହିଛନ୍ତି ସଲିମ୍ ।

କରମଣ୍ଡଳ ଏକ୍ସପ୍ରେସ୍ରେ ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବା ସଲିମ୍ ଯେତେବେଳେ ଆଖି ଖୋଲିଥିଲେ, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିଲେ । ଚିକିତ୍ସା ପାଇଁ କଟକ ଅଣାଯାଇଥିଲା, ଏକାଧିକ ଥର ଅପରେସନ୍ କରି କାମ ସାରିଦେଲେ ହସ୍ପିଟାଲ କର୍ତୃପକ୍ଷ । ହେଲେ ଅବସ୍ଥା ସୁଧୁରିଲାନି । ଶେଷରେ ଚିକିତ୍ସା ପାଇଁ ଏଏମ୍ସରେ ଭର୍ତି ହୋଇଛନ୍ତି । ପାଣି ଭଳି ଟଙ୍କା ସରିଛି, କିନ୍ତୁ ଯନ୍ତ୍ରଣା ଯାଇନି ।

ଆଉ କୌଣସି ବିକଳ୍ପ ନପାଇ, ରେଳମନ୍ତ୍ରୀଙ୍କୁ ଦୁଃଖ ଜଣାଇଛନ୍ତି ସଲିମଙ୍କ ଝିଅ । ବାପାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗଇ ଦେବାକୁ ସୋସିଆଲ ମିଡ଼ିଆରେ ଅନୁରୋଧ କରିଛନ୍ତି ।

ସହାୟତା ଆକାରରେ ପୂର୍ବତଟ ରେଳବାଇ ପକ୍ଷରୁ ୨ ଲକ୍ଷ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୧ ଲକ୍ଷ ମିଳିଛି ସତ । ହେଲେ ୮ ମାସର ଚିକିତ୍ସା ଏବଂ ୫-୫ ଥର ଅପରେସନ୍ ପରେ, ଯେମିତି ସଲିମ୍ଙ୍କ ପରିବାର ପାଖରେ ଆଉ ସମ୍ବଳ ନାହିଁ । ଏମିତିି କି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମିଳୁଥିବା ସହାୟତା ପାଇ ନାହାଁନ୍ତି ସଲିମଙ୍କ ପରିବାର । ହେଲେ ଆଶ୍ୱସ୍ତର କଥା ହେଉଛି, ପୁରା ଚିକତ୍ସା ପ୍ରକ୍ରିୟାରେ ସଂପୂର୍ଣ୍ଣ ସହଯୋଗ କରିଛି ଏମ୍ସ ।