କନକ ବ୍ୟୁରୋ: ଜୁନ୍ ୨ ଶୁକ୍ରବାର, ସମୟ ପାଖାପାଖି ୭ଟା । ଖବର ଆସିଲା କରମଣ୍ଡଳ ଏକ୍ସପ୍ରେସ୍ ଧକ୍କା, ବାହାନଗାରେ ଶତାବ୍ଦୀର ବଡ଼ ରେଳ ଦୁର୍ଘଟଣା । କେହି କିଛି ବୁଝିବା ଆଗରୁ ସାମ୍ନାସାମ୍ନି ଧକ୍କା ହୋଇଥିଲା ଦୁଇଟି ଏକ୍ସପ୍ରେସ ଆଉ ଏକ ମାଲବାହୀ ଟ୍ରେନ୍ । ଆଉ ଏଥିରେ ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦୦ରୁ ଅଧିକ ଯାତ୍ରୀ ଏହି ଭୟଙ୍କର ଦୁର୍ଘଟଣାରେ ଆହତ ହୋଇଥିଲେ । ଶତାବ୍ଦୀର ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା ଭାବେ ଦେଶକୁ ଦୋହଲାଇ ଦେଇଥିଲା ବାହାନଗା ଠାରେ ହୋଇଥିବା କରମଣ୍ଡଳର କରୁଣ ଦୁର୍ଘଟଣା । କରମଣ୍ଡଳର ସେ କରୁଣ କାହାଣୀକୁ ଆଜିକୁ ଠିକ୍ ବର୍ଷେ ପୂରିଛି । ହେଲେ ସେ ଭୟଙ୍କର ଦୁର୍ଘଟଣା ମନେପଡ଼ିଗଲେ ଛାତି ଥରି ଉଠୁଛି, ହାତଗୋଡ଼ ନିସ୍ତେଜ ହୋଇପଡୁଛି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
କିଏ ଜାଣିଥିଲା ସେଦିନର ସେ ଶୁକ୍ରବାର ଅନେକଙ୍କ ପାଇଁ ଶେଷ ଶୁକ୍ରବାର ପାଲଟିଯିବ! ବାଲେଶ୍ୱରର ବାହାନଗାଠାରେ ଘଟିଲା ଶତାବ୍ଦୀର ସବୁଠୁ ବଡ଼ ଟ୍ରେନ୍ ଟ୍ରାଜେଡି । କିଏ ଟ୍ରେନ୍ ଚକ ତଳେ ରହିଗଲା, କିଏ ବଗିରେ ଚାପି ହୋଇଯାଇଥିଲା ତ ଆଉ କିଏ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବଗି ଭିତରେ ହିଁ ଶବ ପାଲଟିଗଲା । ବାହାନଗାରେ ମୁହାଁମୁହିଁ ଧକ୍କା ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ ସହ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ । ଦେଖୁ ଦେଖୁ ବଢ଼ି ଚାଲିଲା ମୃତକଙ୍କ ସଂଖ୍ୟା, ଅନ୍ଧକାର ଭିତରେ ବଡ଼ ରେସ୍କ୍ୟୁ ଅପରେସନ୍ ପାଇଁ ସମୟ ଗଡ଼ି ଚାଲିଲା, କିଏ ଜୀବନ ପାଇଁ ବିକଳ ହୋଇଯାଉଥାଏ ତ କିଏ ପରିବାର ପାଇଁ ନେହୁରା ହେଉଥିଲା ।
ଦୁର୍ଘଟଣା ଖବର ଖେଳିଯିବା ପରେ ଏକାଠି ଆଗେଇ ଆସିଥିଲେ ସ୍ଥାନୀୟ ଲୋକେ । ମାନବିକତା ଦେଖାଇ ବାହାନଗାବାସୀ ଆହତଙ୍କୁ ଉଦ୍ଧାର କରିଥିଲେ ଏବଂ ଯିଏ ଯେଉଁଥିରେ ପାରିଲା ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ସହାୟତାର ହାତ ବଢ଼ାଇଥିଲେ । ଏପରିକି ରାତିସାରା ହସ୍ପିଟାଲ ବାହାରେ ଲୋକମାନେ ଆହତଙ୍କୁ ରକ୍ତଦାନ କରିବାକୁ ଲମ୍ବା ଲାଇନ୍ ମଧ୍ୟ ଲଗାଇଥିବା ଦେଖିବାକୁ ମିଳିଥିଲା । ଦୁର୍ଘଟଣା ସମୟରେ ପର, ଆପଣା ଜାତି ଧର୍ମକୁ ଭୁଲି ଜଣେ ମଣିଷର କର୍ତ୍ତବ୍ୟ କରିଥିଲେ ସ୍ଥାନୀୟ ଲୋକେ । ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢୁଥିବା ଦେଖି ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟକୁ ଅଧିକ ଜୋରଦାର କରିଥିଲେ । ଯେଉଁଥିପାଇଁ ୩ଟି ଏନଡିଆରଏଫ୍ ଟିମ୍, ୪ଟି ଓଡ୍ରାଫ୍, ୧୫ରୁ ଅଧିକ ଅଗ୍ନିଶମବାହିନୀ. ୧୦୦ ଡାକ୍ତରୀ ଦଳ, ୨୦୦ ଆମ୍ବୁଲାନ୍ସ ଏବଂ ୨୦୦ ଜଣ ପୋଲିସ କର୍ମଚାରୀ ଏହି ବିଶାଳ ଉଦ୍ଧାର ଅପରେସନରେ ନିୟୋଜିତ ଥିଲେ ।
କୁଢ଼ କୁଢ଼ ଶବ ଭିତରେ କିଏ ପୁଅକୁ ଖୋଜୁଥିଲା ତ କିଏ ନିଜ ପରିବାର ସଦସ୍ୟଙ୍କ ଫଟୋକୁ ଦେଖାଇ ପଚାରୁଥିଲା । ଖଣ୍ଡ ବିଖଣ୍ଡିତ ଶବକୁ ଦେଖି ଅନେକ ପରିଜନ ଚେତାଶୂନ୍ୟ ହୋଇଯାଉଥିଲେ । ଶବର ଶେଷ ଠିକଣା ହସ୍ପିଟାଲ ହୋଇଥିଲେ ବି ଏ ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ଶବକୁ ଚିହ୍ନି ପାରୁନଥିଲେ ପ୍ରିୟ ପରିଜନ । ଯାହାଫଳରେ କିଛି ଶବ ପଡୋଶୀ ରାଜ୍ୟକୁ ଚାଲିଯାଇଥିଲା, ଆଉ ପଶ୍ଚିମବଙ୍ଗରେ ଶବ, ଓଡ଼ିଶାର ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲି ବୁଲି ନିଜ ସମ୍ପର୍କୀୟଙ୍କ ଶବ ଖୋଜୁଥିବା ଖବର ବି ଦେଖିଛି ଏ ଦେଶ ।
କିଏ ଟିଭିରୁ ଖବର ପାଇ ଓଡ଼ିଶା ଚାଲି ଆସିଲା ତ କିଏ ଶେଷ ଫୋନ୍ କଲ୍ ପାଇଁ ଧାଇଁ ଆସିଥିଲା । ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସ୍ଥାନୀୟ ଲୋକଙ୍କ ସହାୟତା ଫଳରେ ନିହାତି ଅନେକଙ୍କ ଜୀବନ ବଞ୍ଚିଯାଇଛି । କିନ୍ତୁ ଯେଉଁ ସିଗନାଲ ତ୍ରୁଟି ଯୋଗୁଁ ପାଖାପାଖି ୩୦୦ ଜଣ ଯାତ୍ରୀଙ୍କ ଜୀବନ ଗଲା । ଆଉ ଅନେକ ଆହତ ସାରା ଜୀବନ ପାଇଁ ଅକାମୀ ହୋଇଗଲେ । ସିବିଆଇ ତଦନ୍ତରେ ରେଳବାଇର ୩ ଜଣ କର୍ମୀଙ୍କୁ ଗିରଫ କରାଗଲା କିନ୍ତୁ ଯେଉଁ ଜୀବନ ସବୁ ଚାଲିଗଲା ତା’ହା କ’ଣ କେହି ଫେରାଇ ପାରିବେ କି? କରମଣ୍ଡଳ କାହାଣୀକୁ ବର୍ଷେ ପୂରିଲା ସତ କିନ୍ତୁ ଯେମିତି ବାହାନଗା ଟ୍ରେନ୍ ଟ୍ରାଜେଡି ପୁନରାବୃତି ନହେଉ ।