କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୩ ଜଣ ରେଳବାଇ କର୍ମଚାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଏଥିପାଇଁ ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି । ୧୧ ତାରିଖରେ ଏମାନଙ୍କୁ ପୁଣି କୋର୍ଟରେ ହାଜର କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଶୁକ୍ରବାର ବାହାନଗା ଟ୍ରେନ ଦୁର୍ଘଟଣାରେ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିିନିୟର ଅମୀର ଖାନ ଓ ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରିଥିଲା ସିବିଆଇ । ୩ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଭୁବନେଶ୍ୱରସ୍ଥିତି ସିବିଆଇ ଅଫିସକୁ ଅଣାଯାଇଥିଲା । ପରେ ସେମାନଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ କ୍ୟାପିଟାଲ ହସପିଟାଲ ନିଆଯାଇଥିଲା ।

Advertisment

ଆଉ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଥିଲା । ଅରୁଣ କୁମାର ମହନ୍ତ, ଅମିର ଖାନ ପପୁ କୁମାର, ତିନି ଜଣଙ୍କୁ ଆଇପିସିର ଧାରା ୩୦୪ ଅର୍ଥାତ ହତ୍ୟାକାଣ୍ଡ ପାଇଁ ଦାୟୀ ଓ ଧାରା ୨୦୧ ଅର୍ଥାତ ଅପରାଧିକ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରିଛି ସିବିଆଇ । ସେହିଭଳି ରେଳବାଇ ଆଇନର ଧାରା ୧୫୩ ମଧ୍ୟ ଲଗାଯାଇଛି । ରାଜ୍ୟ ସରକାରଙ୍କ ସହମତି ଓ ରେଳ ମନ୍ତ୍ରାଳୟର ଅନୁରୋଧ ପରେ ସରକାର ସିବିଆଇ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମାମଲା ରୁଜୁ କରିଥିଲା ସିବିଆଇ । ଦୁର୍ଘଟଣା ନେଇ ତଦନ୍ତ ଜାରି ରହିଛି । ଗତ ମାସ ୨ ତାରିଖରେ ବାହାନଗାରେ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଛି ।

ଜୁନ୍ ୨ ତାରିଖରେ ବାହାନଗା ଷ୍ଟେସନ ବଜାରରେ ଭୟାନକ ରେଳ ଦୁର୍ଘଟଣା ପାଇଁ ସିଗନାଲ ବ୍ୟବସ୍ଥାରେ ତ୍ରୁଟିକୁ ଦାୟୀ କରାଯାଇଥିଲା । ଯାନ୍ତ୍ରିକ ତ୍ରୁଟି ନୁହେଁ ବରଂ ମାନବୀୟ ଅବହେଳା ପାଇଁ ଏତେବଡ ଦୁର୍ଘଟଣା ଘଟିଲା ବୋଲି ରେଳବାଇ ସୁରକ୍ଷା କମିଶନଙ୍କ ରିପୋର୍ଟରେ ଉଲ୍ଲେଖ ରହିଥିଲା । ଯେଉଁଥିପାଇଁ ପାଖାପାଖି ୩୦୦ ଯାତ୍ରୀଙ୍କ ଜୀବନ ଚାଲିଗଲା । ଦକ୍ଷିଣ-ପୂର୍ବ ରେଳବାଇର ସୁରକ୍ଷା କମିଶନ୍ ଏଏମ ଚୌଧୁରୀ ଦେଇଥିବା ତଦନ୍ତ ରିପୋର୍ଟରେ ଲେଖାଯାଇଛି- ବାହାନଗା ଷ୍ଟେସନ ବଜାରରେ ଥିବା ୯୪ ନମ୍ବର ଗେଟ୍ ଲେବଲ କ୍ରସିଂରେ ସିଗନାଲ ତ୍ରୁଟିକୁ ସୁଧାରିବାବେଳେ ଉତ୍ତର ପଟ ସିଗନାଲ ଗୁମଟିରେ ସିଗନାଲ ସର୍କିଟ ବଦଳି ଯାଇଥିଲା । ଏହାକୁ ଅଣଦେଖା କରିବା ଫଳରେ ବାହାନଗା ଷ୍ଟେସନର ଅପଲାଇନରେ ଥିବା ସିଗ୍ନାଲ ସବୁଜ ହୋଇଗଲା ।

ସବୁଜ ସଂକେତ ଦେଖି ଆଗକୁ ବଢିଥିଲା କରମଣ୍ଡଳ ଏକ୍ସପ୍ରେସ । ହେଲେ ସେତିକିବେଳେ ଅପ୍ ମେନ୍ଲାଇନ୍ର କ୍ରସଓଭର ଅପ୍ ଲୁପ୍ଲାଇନ୍କୁ ଥିଲା । ଯେଉଁଠାରେ ପୂର୍ବରୁ ଆସିଥିବା ଏକ ମାଲବାହୀ ଟ୍ରେନ ଛିଡା ହୋଇଥିଲା । ସିଗନାଲ ଗ୍ରୀନ ଥିବାରୁ କରମଣ୍ଡଳ ଏକ୍ସପ୍ରେସ ସ୍ୱାଭାବିକ ଗତି ଘଂଟା ପ୍ରତି ୧୨୮ କିଲୋମିଟର ବେଗରେ ଆଗକୁ ବଢିଥିଲା । କ୍ରସଓଭର ବା ଅପ୍ ଲୁପ୍ଲାଇନ୍ ଖୋଲାଥିବାରୁ ଦ୍ରୁତ ଗତିରେ ସେହି ପଟେ ମାଡି ଯାଇଥିଲା ଓ ପୂର୍ବରୁ ରହିଥିବା ମାଲବାହୀ ଟ୍ରେନକୁ ପଛପଟୁ ଧକ୍କା ଦେଇଥିଲା ।

ବାହାନଗା ଷ୍ଟେସନ ବଜାରରେ ସିଗନାଲ ତ୍ରୁଟିକୁ ସୁଧାରିବା ବେଳେ ଏସଓପିକୁ ଅନୁସରଣ କରାଯାଇନଥିଲା । ତ୍ରୁଟି ରହିଥିବା ନେଇ ଷ୍ଟେସନ ମାଷ୍ଟର ଉପରିସ୍ଥ ଅଧିକାରୀଙ୍କୁ ଜଣାଇନଥିଲେ । କ୍ରସଓଭର ଅପ ଲୁପ ଲାଇନକୁ ରହିଥିବାବେଳେ ସିଗନାଲ ଗ୍ରୀନ ହୋଇଗଲା । ସଂପୂର୍ଣ୍ଣ ମାନବୀୟ ଅବହେଳା ପାଇଁ ଏତେବଡ଼ ଦୁର୍ଘଟଣା ଘଟିଗଲା । ଦୁର୍ଘଟଣାର ସିବିଆଇ ତଦନ୍ତ କରୁଥିବାବେଳେ ଅବହେଳା ପାଇଁ ଦାୟୀ କରି ସିନିୟର ସେକ୍ସନ ଇଞ୍ଜିନିୟର, ସେକ୍ସନ ଇଞ୍ଜିନିୟର ଓ ଟେକ୍ନିସିଆନଙ୍କୁ ଗିରଫ କରିଛି ।

ବାହାନଗା ଷ୍ଟେସନ ବଜାର ଦୁର୍ଘଟଣା ପାଇଁ ଦାୟୀ କରି ୩ଜଣଙ୍କୁ ସିବିଆଇ ଗିରଫ କରିବା ପରେ କୋର୍ଟଙ୍କ ଅନୁମତିରେ ରିମାଣ୍ଡରେ ନେଇଛି । ଏବେ ସେମାନଙ୍କୁ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଗୁଡାଇ ତୁଡାଇ ପ୍ରଶ୍ନ କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ।

- ଘଟଣା ଦିନ ସିଗନାଲରେ କିଛି ତ୍ରୁଟି ରହିଥିଲା କି ?
- ସିଗନାଲରେ ତ୍ରୁଟି ଥିବା ସତ୍ୱେ ସବୁଜ ସଂକେତ କାହିଁକି ଦିଆଗଲା ?
- କ୍ରସଓଭଲ ଲୁପଲାଇନକୁ ଥିବାବେଳେ ଗ୍ରୀନ ସିଗନାଲ କେମିତି ଦିଆଗଲା ?
- ଲୁପଲାଇନରେ ଆଗରୁ ଏକ ମାଲଗାଡି ଥିବା ସେମାନେ ଜାଣିଥିଲେ କି ?
- ସିଗନାଲ ତ୍ରୁଟିକୁ ଅଣଦେଖା କରାଯାଇଥିଲା କି ?
- ଅବହେଳା ନା କୌଣସି ଅନ୍ତର୍ଘାତୀ ଉଦ୍ଦେଶ୍ୟ ରଖି ଏଭଳି କରାଯାଇଥିଲା ?
- କୌଣସି ଅପରାଧିକ ଷଡଯନ୍ତ୍ରରେ ରହିଛି କି ସଂପୃକ୍ତି ?