ଏମ୍ସ ଘଟଣାକୁ ଗୁରୁତର ସହ ନେଇଛନ୍ତି ସରକାର: ସର୍ବୋଚ୍ଚସ୍ତରରେ ସମୀକ୍ଷା ଚାଲିଥିବା କହିଲେ ସୁବ୍ରତ ବାଗଚୀ; କରୋନା ସଂକ୍ରାନ୍ତରେ ବରିଷ୍ଠ ଡାକ୍ତରଙ୍କ ବେପରୁଆ ମନୋଭାବ ନେଇ ଅସନ୍ତୋଷ ଜାହିର କରିଛି ଏମ୍ସ ଡାକ୍ତରୀ ସଂଘ

ପୁଅକୁ କରୋନା ସତ୍ୱେ ଡାକ୍ତର ବାପା କରୁଥିଲେ ଅନ୍ୟ ଡାକ୍ତରଙ୍କ ସହ ମିଳାମିଶା

3,123

କନକ ବ୍ୟୁରୋ: ଭୁବନେଶ୍ୱରରେ ଥିବା ଏମ୍ସର ରେସିଡେଂଟ ଡାକ୍ତରୀ ସଂଘ ଜଣେ କରୋନା ଆକ୍ରାନ୍ତଙ୍କୁ ବେପରୁଆ ଭାବେ ହସ୍ପିଟାଲକୁ ଆଣିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଡାକ୍ତରୀ ସଂଘ ଏମ୍ସର ନିର୍ଦ୍ଦେଶିକାଙ୍କୁ ଏନେଇ ଚିଠି ଲେଖିଛନ୍ତି । ଚିଠିରେ ସେମାନେ ଲେଖିଛନ୍ତି ଯେ, ଏମ୍ସର ଜଣେ ବରିଷ୍ଠ ଡାକ୍ତର ଓ ଆଇସୋଲେସନ୍ ୟୁନିଟର ଦାୟିତ୍ୱରେ ଥିବା ଡାକ୍ତର, ଜଣେ କରୋନା ଆକ୍ରାନ୍ତଙ୍କୁ ବେପରୁଆ ଭାବେ ଏମ୍ସକୁ ଆଣିଥିଲେ । ଗତକାଲି କରୋନା ଚିହ୍ନଟ ହୋଇଥିବା ୧୯ ବର୍ଷର ଯୁବକ ସେହି ବରିଷ୍ଠ ଡାକ୍ତରଙ୍କ ପୁଅ ଏବଂ ସେଥିପାଇଁ ଡାକ୍ତର ଜଣଙ୍କ କୌଣସି ନିୟମକୁ ନମାନି ବେପରୁଆ ଭାବେ ଚିକିତ୍ସା କରାଇଛନ୍ତି ବୋଲି ରେସିଡେଂଟ ଡାକ୍ତରୀ ସଂଘ ଅଭିଯୋଗ କରିଛି ।

୩ ଦିନ ପୂର୍ବରୁ ସେହି ଡାକ୍ତରଙ୍କ ପୁଅ ବ୍ରିଟେନରୁ ଫେରିଥିଲେ । କିନ୍ତୁ ଏହି ତଥ୍ୟ ସଂପୃକ୍ତ ଡାକ୍ତର ଓ ଆଇସୋଲେସନ୍ ୟୁନିଟର ଦାୟିତ୍ୱରେ ଥିବା ଡାକ୍ତର ମଧ୍ୟ ପ୍ରକାଶ କରିନଥିଲେ । କରୋନା ଆକ୍ରାନ୍ତଙ୍କ ବାପା ସେଠାରେ ଡାକ୍ତର ଥିବାରୁ ଅନ୍ୟମାନେ ମଧ୍ୟ ବିପଦ ଘେରକୁ ଆସି ଯାଇଛନ୍ତି ଡାକ୍ତରୀ ସଂଘ ଆଶଙ୍କା ପ୍ରକାଶ କରିଛନ୍ତି । ନିର୍ଦ୍ଦେଶିକାଙ୍କୁ ଦେଇଥିବା ଚିଠିରେ ଲେଖିଛନ୍ତି, ସଂପୃକ୍ତ ଡାକ୍ତର ସେମାନଙ୍କ ସହ ବିଶ୍ୱାସ ଘାତକତା କରିଛନ୍ତି । ଆଇସୋଲେସନ୍ ୟୁନିଟର ଡାକ୍ତର ମଧ୍ୟ ସମ ପରିମାଣରେ ଦାୟୀ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ସେମାନେ ଆହୁରୀ ଲେଖିଛନ୍ତି, କରୋନା ସନ୍ଦିଗ୍ଧ କିମ୍ବା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର ନାହିଁ ।

ଅନ୍ୟପଟେ, ଏମ୍ସ ଘଟଣାକୁ ଗୁରୁତର ସହ ନେଇଛନ୍ତି ସରକାର । ଘଟଣାକୁ ସର୍ବୋଚ୍ଚସ୍ତରରେ ସମୀକ୍ଷା ଓ ଆଲୋଚନା ଚାଲିଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଘଟଣାରେ ପ୍ରଭାବିତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ।