‘ବଗଲା’ ଜମି ବିକ୍ରି ପ୍ରସଙ୍ଗକୁ ନେଇ ଥମୁନି ବିବାଦ: ଆଜି ପୁଣି ବିଜେପି ଓ ସିପିଏମ ପକ୍ଷରୁ ଧର୍ମଶାଳା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ; ଦାନସୂତ୍ରରେ ମିଳିଥିବା ଜମିକୁ ବେଆଇନ ଭାବେ ବିକ୍ରି କରିଦେଇଥିବା ଅଭିଯୋଗ

94

କନକ ବ୍ୟୁରୋ: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗକୁ ନେଇ ତେଜିବାରେ ଲାଗିଛି ବିବାଦ । ଆଜି ପୁଣି ବିଜେପି ଓ ସିପିଏମ ପକ୍ଷରୁ ଧର୍ମଶାଳା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦାନସୂତ୍ରରେ ମିଳିଥିବା ଜମିକୁ ବେଆଇନ ଭାବେ ଜିଲ୍ଲାପ୍ରଶାସନ ଲଜ୍ ମାଲିକଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗରେ ସେମାନେ ବିକ୍ଷୋଭ କରିଛନ୍ତି । ବିସ୍ଥାପିତଙ୍କୁ ଧର୍ମଶାଳା ଜମିର ୧୨ ପ୍ରତିଶତ ଦିଆଯାଇଥିବା ପ୍ରଶାସନ ପକ୍ଷରୁ ସଫେଇ ଦିଆଯିବା ପରେ ଏହାକୁ ବିରୋଧ କରିଛନ୍ତି ।

୧୧୫ ବର୍ଷ ପୂର୍ବେ ୧୯୦୫ ମସିହାରେ କହ୍ନେୟା ଲାଲ ବଗଲା ଏହି ଧର୍ମଶାଳାକୁ ତୀର୍ଥଯାତ୍ରୀଙ୍କ ଉଦ୍ଦେଶ୍ୟରେ ଦାନ ଆକାରରେ ଦେଇଥିଲେ । ତେଣୁ କିଭଳି ଏହାକୁ ଲଜ ମାଲିକଙ୍କୁ ଟେକି ଦିଆଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଗତକାଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଥିଲା, ବଗଲା ଜମି ବିକ୍ରି କରାଯାଇନାହିଁ । ଯେଉଁମାନେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଜମି ଦାନ କରିଛନ୍ତି ସେହି ବିସ୍ଥାପିତଙ୍କୁ ଏହି ଜମିର ଅଳ୍ପ ଅଂଶରେ କେବଳ ଥଇଥାନ କରାଯାଇଛି । ମୋଟ ଜମିର ମାତ୍ର ୧୨ ପ୍ରତିଶତ ଜମି ବିସ୍ଥାପିତଙ୍କ ଥଇଥାନ ପାଇଁ ବ୍ୟବହାର କରାଯିବ ।