କନ୍ଧମାଳରୁ ଲୋପ ପାଇଯିବ ବାଦୁଡ଼ି ବଂଶ ! ଫାସ ପକାଇ, ବିଷ ଦେଇ ମରାଯାଉଛି, ଗୋଟାକୁ ହଜାରେ ଟଙ୍କାରେ ବିକ୍ରି ହେଉଛି ।

572

କନକ ବ୍ୟୁରୋ : ପରିବେଶ ପ୍ରଦୂଷଣ, ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ଖାଦ୍ୟ ଅଭାବ । ଏଥିସହ ଅବାଧ ଶିକାର ଯୋଗୁଁ ଜଙ୍ଗଲ ଓ ପାହାଡ଼ ଘେରା କନ୍ଧମାଳ ଜିଲ୍ଲାରୁ ଲୋପ ପାଇବାକୁ ବସିଲାଣି ବିଭିନ୍ନ ପ୍ରଜାତିର ବିରଳ ବାଦୁଡ଼ି । ବାଦୁଡ଼ି ହେଉଛି ଏକମାତ୍ର ସ୍ତନ୍ୟପାୟ ପ୍ରାଣୀ ‌ଯିଏ ଉଡ଼ିପାରେ । ମୁହଁ ଦେଖିବାକୁ ବିଲୁଆ ଭଳି । ତେଣୁ ବାଦୁଡ଼ିକୁ ଏ ଅଞ୍ଚଳରେ କେହି କେହି ‘ଉଡ଼ନ୍ତା ବିଲୁଆ’ ବି କହିଥାନ୍ତି । ଦିନରେ ସେ ଦେଖିପାରେ ନାହିଁ; ଆଉ ସଂଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ବାହାରି ପଡ଼େ ।

ମଣିଷର ବନ୍ଧୁ ବୋଲି କୁହା ଯାଉଥିବା ଏହି ବାଦୁଡ଼ି ମୁଖ୍ୟତଃ ୯ ପ୍ରଜାତିର । କନ୍ଧମାଳର ଅନୁକୂଳ ପରିବେଶ ପାଇଁ ବାଦୁଡ଼ିମାନେ ରହିବାକୁ ଭଲ ପାଇଥାନ୍ତି । ବିଶେଷତଃ ନିଛାଟିଆ ସ୍ଥାନରେ ଥିବା ବଡ଼ ବଡ଼ ଗଛ, ପୁରୁଣା ପୋଲ, ଅନ୍ଧାରୁଆ ଘର ଓ ପାହାଡ଼ ଗୁମ୍ପାରେ ବାଦୁଡ଼ିମାନେ ରହିଥାନ୍ତି। ଜିଲ୍ଲାର ଦାରିଙ୍ଗିବାଡ଼ି, ରାଇକିଆ, କୋଟଗଡ଼, ବେଲଘର, ତୁମୁଡ଼ିବନ୍ଧ ଆଜି ସ୍ଥାନମାନଙ୍କରେ ଅଧିକ ସଂଖ୍ୟାରେ ବାଦୁଡ଼ି ରହନ୍ତି । ହେଲେ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରରେ ସବୁଠାରୁ ଅଧିକ ସଂଖ୍ୟାରେ ବାଦୁଡ଼ି ଦେଖିବାକୁ ମିଳିଥାଏ । ତାହା ପୁଣି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଥିବା ଗଛଗୁଡ଼ିକରେ । ରାତିସାରା ଖାଦ୍ୟ ଖାଇ ରାତି ପାହିବା ପୂର୍ବରୁ ପୁଣି ବାସସ୍ଥାନକୁ ଫେରି ଆସନ୍ତି । ରାତି ପାହିଲେ ବଡ଼ ବଡ଼ ଗଛରେ ମୁହଁ ତଳକୁ ଦେଇ ଶହ ଶହ ସଂଖ୍ୟାରେ ଝୁଲି ଶୋଇଥାନ୍ତି । ଯାହାକୁ ଦେଖଣାହାରୀ ଦେଖି ବେଶ ଆନନ୍ଦ ଅନୁଭବ କରିଥାନ୍ତି । ଏମିତି କି ବାହାରୁ ଆସୁଥିବା ପର୍ଯ୍ୟଟକମାନେ ବି ଯିବା ବାଟରେ ବାଦୁଡ଼ି ଦେଖିବା ପାଇଁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପାଖରେ ଅଟକି ଯାଆନ୍ତି ।

ହେଲେ ଜିଲ୍ଲାରେ ଆଉ ପୂର୍ବଭଳି ଆଉ ବାଦୁଡ଼ି ଦେଖିବାକୁ ମିଳୁ ନାହାନ୍ତି । କାଁ ଭାଁ ବାଦୁଡ଼ି ଦେଖିବାକୁ ମିଳୁଛି । ଜଙ୍ଗଲ ଅବକ୍ଷୟ ଓ ଖାଦ୍ୟ ଭାବ ହିଁ କାରଣ ବୋଲି କୁହାଯାଉଥିବା ବେଳେ ଅବାଧ ଶିକାର ହିଁ ବଡ କାରଣ ବୋଲି ପଶୁ ଓ ପକ୍ଷୀ ପ୍ରେମୀ ମତ ଦେଇଛନ୍ତି । ବାଦୁଡ଼ି ମାଂସର ସ୍ବାଦ କୁଆଡ଼େ ନିଆରା । ଏହାର ମାଂସରେ ବିଭିନ୍ନ ଔଷଧ ବି ପ୍ରସ୍ତୁତ ହେଉଛି । ତେଣୁ ଗୋଟାକୁ ୫ଶହ ଟଙ୍କାରେ ନେବାକୁ କିଛି ବେପାରୀ ଚାହିଁ ବସିଛନ୍ତି । ଏମିତି କି ବାହାରକୁ ପଠାଇଲେ ଗୋଟାକୁ କାଳେ ହଜାରେ ଟଙ୍କା ମିଳୁଛି । ତେଣୁ ଅର୍ଥଲୋଭରେ ଶିକାରୀମାନେ ଫାଶ ପକାଇ ଓ ବିଷ ଦେଇ ବାଦୁଡ଼ି ଶିକାର କରୁଛନ୍ତି । ଯଦି ଏମିତି ଅବାଧ ଶିକାର ଜାରି ରହେ ତାହେଲେ ଆଉ କିଛି ବର୍ଷ ମଧ୍ୟରେ କନ୍ଧମାଳରୁ ବାଦୁଡ଼ି ବଂଶ ଲୋପ ପାଇଯିବ । ତେଣୁ ବାଦୁଡ଼ିଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହ ଶିକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।