ଦୃଢ ମନୋବଳ ଆଗରେ ହାର ମାନିଛି ଉଚ୍ଚତା, ସୁନା ପୁଅ କ୍ରିଷ୍ଣାଙ୍କ ସଂଘର୍ଷର କାହାଣୀ

115

କନକ ବ୍ୟୁରୋ : ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳୀମାନେ ଯାଦୁ ଦେଖାଇବାରେ ଲାଗିଛନ୍ତି । ଆଜି ବ୍ୟାଡମିଣ୍ଟନ ଖେଳାଳୀ କ୍ରିଷ୍ଣା ନାଗର ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତି ସାରା ବିଶ୍ୱରେ ଭାରତୀୟଙ୍କ ଗର୍ବକୁ ଗୌରବାନ୍ୱିତ କରିଛନ୍ତି । କ୍ରିଷ୍ଣାଙ୍କ ପଦକ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୯ କୁ ବୃଦ୍ଧି ପାଇଛି ।

ସେପଟେ ଯଦି କ୍ରିଷ୍ଣାଙ୍କ ସଂଘର୍ଷର କାହାଣୀ ଜାଣିବେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କ୍ରିଷ୍ଣା ଜଣେ ବାମନ ଶ୍ରେଣୀର ପିଲା । ତାଙ୍କୁ ଯେତେବେଳେ ୨ ବର୍ଷ ହୋଇଥିଲା ଏକଥା ତାଙ୍କ ପରିବାର ଲୋକଙ୍କୁ ଜଣାପଡିଥିଲା । ବୟସ ବଢୁଥିଲେ ବି କ୍ରିଷ୍ଣାଙ୍କର ଉଚ୍ଚତା ବୃଦ୍ଧି ସ୍ୱଭାବିକ ହେଉ ନଥିଲା । ଏନେଇ ପରିବାର ଲୋକେ ଚିନ୍ତାରେ ଥିବା ବେଳେ କ୍ରିଷ୍ଣା କିନ୍ତୁ ବୟସ ବଢିବା ସହ ଖେଳପ୍ରତି ସମ୍ପୂର୍ଣ୍ଣ ସମର୍ପିତ ହେଉଥିବା ନଜର ଆସିଥିଲା । ସେ ଦୈନିକ ଘରଠାରୁ ୧୩ କିଲୋମିଟର ଦୂର ଷ୍ଟାଡିୟମ ଯାଇ ଅଭ୍ୟାସ କରୁଥିଲେ ।

କମ ଉଚ୍ଚତା କ୍ରିଷ୍ଣାଙ୍କ ଦୃଢ ମାନସିକତା ଆଗରେ ଫିକା ପଡିଥିଲା । ଧିରେ ଧିରେ ସେ ବ୍ୟାଡମିଣ୍ଟନ ଖେଳରେ ଆଗକୁ ବଢୁଥିଲେ । ସାଙ୍ଗ ସାଥିମାନେ ତାଙ୍କର କମ ଉଚ୍ଚତାକୁ ନେଇ ଥଟା କରୁଥିବା ବେଳେ ଏହାକୁ କେବେ ବି କର୍ଣ୍ଣପାତ କରୁ ନଥିଲେ କ୍ରିଷ୍ଣା । ୪ ଫୁଟ ୫ ଇଂଚ ଉଚ୍ଚତାର ଏହି ଖେଳାଳୀ ନିଜର ନିଷ୍ଠା ଓ ପରିଶ୍ରମ ବଳରେ ଆଜି ସାରା ଦେଶ ପାଇଁ ଗୌରବ ଆଣିଛନ୍ତି ।

ସେ ୨୦୧୮ ପାରା ଏସିଆନ ଗେମର ସିଙ୍ଗଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ୨୦୧୯ରେ ସ୍ୱିଜରଲାଣ୍ଡ ଠାରେ ଅନୁଷ୍ଠିତ ପାରା ବ୍ୟାଡମିଣ୍ଟନ ୱାଲର୍ଡ ଚମ୍ପିଅନସିପରେ ରୋପ୍ୟ ପଦକ ଜିତିଥିଲେ । ଏହାପରେ ଆଜି ସେ ଟୋକିଓ ଅଲିମ୍ପିକ୍ସରେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି ।  ତାଙ୍କ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।