ବିନା ତାଲିମରେ ବଡ଼ି, ଲଙ୍କା ଗୁଣ୍ଡ ଓ ପିଠା ପ୍ରସ୍ତୁତ କରୁଛନ୍ତି ଭୋଗରାଇ ସୁନ୍ଦରାଡ଼ି ଅଂଚଳର ମହିଳା, ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ

167

କନକ ବ୍ୟୁରୋ : କଥାରେ ଅଛି ଦୃଢ଼ ଇଛାଶକ୍ତି ଥିଲେ ସଫଳତା ମିଳିଥାଏ । ଯାହା ବାଲେଶ୍ୱର ଭୋଗରାଇ ବ୍ଲକ ସୁନ୍ଦରାଡ଼ି ଅଂଚଳର ମହିଳା ମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି  । ଏହି ଅଂଚଳର ମହିଳା ମାନେ କଠିନ ପରିଶ୍ରମ କରି କିଛି କିଛି ରୋଜଗାର କରୁଛନ୍ତି । ଗୋଟିଏ ବ୍ୟବସାୟରୁ ଆରମ୍ଭ ହୋଇଥିବା ଏହି ଆଂଚଳିକ ମଂଚ ଏବେ ଦୁଇରୁ ଅଧିକ ବ୍ୟବସାୟ କରୁଛି । ପ୍ରଥମେ ମହିଳା ମାନେ ବଜାରରୁ ଶୁଖିଲା ଲଙ୍କା କିଣି ତାକୁ ଗୁଣ୍ଡ କରି ବିଭିନ୍ନ ସାଇଜର ପ୍ୟାକେଜିଂ କରି ବିକ୍ରି କରୁଥିଲେ । ଏହା ପରେ ଏକ ସ୍ୱାଦିଷ୍ଟ ପିଠା ପ୍ରସ୍ତୁତ କରି ବିକ୍ରି କଲେ । ଏବେ ମାର୍କେଟରୁ ବିରି ଓ ପାଣି କଖାରୁ କିଣି ବଡ଼ି ତିଆରି କରୁଛନ୍ତି । ବିଭିନ୍ନ ସାଇଜର ପ୍ୟାକେଜିଂ କରି ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି । ଏଥିରେ ଗାଁର ୨୦ ଜଣ ମହିଳା ରୋଜଗାର କରୁଛନ୍ତି ।

୨୦୧୧ରେ ଗାଁର ୨୦ ଜଣ ମହିଳା ମିଶି ଶୁଭଦ୍ରା ଆଂଚଳିକ ମଂଚ ଗଠନ କରିଥିଲେ । ପ୍ରଥମେ ଲଙ୍କା ଗୁଣ୍ଡ ପ୍ୟାକେଟ କରି ବିକ୍ରି କରୁଥିଲେ । ଏହା ପରେ ସରକାରୀ ସହାୟତା ରୋଜଗାରର ରାସ୍ତା ଫିଟାଇଥିଲା । ୨୦୨୧ରେ ଶୁଭଦ୍ର ଅଂଚଳିକ ମଂଚକୁ ୩୦ ହଜାର ଟଙ୍କା ରୁଣ ମିଳିବା ପରେ ଘରୋଇ ପ୍ରଣାଳୀରେ ପିଠା ବ୍ୟବସାୟ ଆରମ୍ଭ କଲେ ମହିଳା   । ମିଶନ ଶକ୍ତି ବଜାରରେ ଏହାର ଚାହିଦା ବଢ଼ିବାରୁ ସେଥିରୁ ଭଲ ଦୁଇ ପଇସା ରୋଜଗାର ହେଲା । ଏବେ ବଡ଼ି ବ୍ୟବସାୟ ମହିଳାଙ୍କୁ ଅଧିକ ଲାଭ ଦେଉଛି । ୨ ବର୍ଷ ଭିତରେ ମହିଳାଙ୍କ ବ୍ୟବସାୟ ୨ଲକ୍ଷ ଟଙ୍କାରେ ପହଂଚିଛି ।

ଏବେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି । ମହିଳା ମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥା କରାଗଲେ ଅଧିକ ରୋଜଗାର ହୋଇପାରନ୍ତା ବୋଲି କହିଛନ୍ତି ମହିଳା ।