ଆସିଲା ବଲିଉଡ ଫିଲ୍ମ ‘ବଧାଇ ଦୋ’ର ପ୍ରଥମ ଟ୍ରେଲର । ମୁଖ୍ୟ ଭୂମିକାରେ ନଜର ଆସିବେ ରାଜକୁମାର ଓ ଭୂମୀ

147

କନକ ବ୍ୟୁରୋ : ୨୦୧୮ର ସୁପରହିଟ ଫିଲ୍ମ ବଧାଇ ହୋ’ର ଆସୁଛି ସିକ୍ୱେଲ । ରିଲିଜ ହୋଇଛି ବଧାଇ ହୋର ସିକ୍ୱେଲ ‘ବଧାଇ ଦୋ’ର ପ୍ରଥମ ଟ୍ରେଲର । ରିଲିଜର ପ୍ରଥମ ଦିନରେ ଦର୍ଶକ ଏହାକୁ ଖୁବ ପସନ୍ଦ କରିଛନ୍ତି । ବଧାଇ ଦୋ’ରେ ରହିଛି ଭର୍ସାଟାଇଲ ଅଭିନେତା ରାଜକୁମାର ରାଓ ଓ ଅଭିନେତ୍ରୀ ଭୂମି ପେଡନେକରଙ୍କ ନୂଆ ଯୋଡି । ଟ୍ରେଲରରେ ଦେଖିବାକୁ ମିଳିଛି କମେଡି ସହ ଡ୍ରାମାର ନୂଆ କାହାଣୀ । ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ ନୂଆ ସାମାଜିକ କାହାଣୀ ।

ତେବେ ୩ମିନିଟ ୫ ସେକେଣ୍ଡର ଟ୍ରେଲରକୁ ଏଭଳି ପ୍ରସ୍ତୁତ କରାଯାଇଛି ଯାହା ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି । ପିଟି ଟିଚର ଓ ପୁଲିସ ଅଫିସରଙ୍କ କମେଡି ଲଭଷ୍ଟୋରୀ ଫିଲ୍ମର ମୁଖ୍ୟ କାହାଣୀ ଭାବେ ଗତିଶୀଳ ହେବ । ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶିତ ବଧାଇ ଦୋ ଫେବୃଆରୀ ୧୧ରେ ପରଦାକୁ ଆସିବ । ୨୦୧୮ ମସିହାରେ ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନା ଓ ସାନ୍ୟା ମଲହୋତ୍ରାଙ୍କ ‘ବଧାଇ ହୋ’ର ସିକ୍ୱେଲ ଭାବରେ ଦର୍ଶକଙ୍କ ସାମନାକୁ ଆସିବ ‘ବଧାଇ ଦୋ’ । ସିନେସମୀକ୍ଷକ, ସିନେପ୍ରେମୀ ଓ ଫିଲ୍ମ ମେକର ବଧାଇ ହୋ ପରି ଏହାର ସିକ୍ୱେଲ ବଧାଇ ଦୋର ସଫଳତାକୁ ନେଇ ବେଶ ଆଶବାଦୀ ଅଛନ୍ତି ।