ଭୀମସେନଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଗାଏବ କରିଦେଇଥିଲେ ସାଇବର ଲୁଟେରା । ୧୦ ମାସ ପରେ ଫେରିପାଇଲେ ଟଙ୍କା ।

577

କନକ ବ୍ୟୁରୋ : ୧୦ ମାସ ପରେ ମିଳିଲା ସାଇବର ଠକେଇ ଟଙ୍କା । ଆକାଉଂଟକୁ ଆସିଗଲା ୮୦ ହଜାର ଟଙ୍କା । ବଡବିଲର ଭୀମସେନ ବେହେରାଙ୍କ ଆକାଉଂଟରୁ ଗତ ଜାନୁଆରୀ ୨୨ ତାରିଖରେ ଦୁଇଟି ପର୍ଯ୍ୟାୟରେ ୪୦ ହଜାର ଟଙ୍କା ଉଠାଯାଇଥିଲା । ପର ଦିନ ସକାଳୁ ପୁଣି ଥରେ ଆଉ ଦୁଇଟି ପର୍ଯ୍ୟାୟରେ ଆଉ ୪୦ ହଜାର ଟଙ୍କା ଉଠାଯାଇଥିଲା । ଏଟିଏମ୍ ଡେବିଟ୍ କାର୍ଡ ଭୀମସେନଙ୍କ ପାଖରେ ଥିବା ବେଳେ କୋଲକାତାର ଦୁଇଟି ସ୍ଥାନରୁ ୮୦ ହଜାର ଟଙ୍କା ଉଠାଯାଇଥିବା ନେଇ ତାଙ୍କ ପାଖରୁ ମେସେଜ୍ ଆସିଥିଲା ।

ଏନେଇ ଥାନା ଏବଂ ବ୍ୟାଙ୍କ ଶାଖାରେ ଅଭିଯୋଗ କରିଥିଲେ ଭୀମସେନ । ଘଟଣାର ୬ ମାସ ପରେ ସରକାରଙ୍କ ମୋ ସରକାର ଯୋଜନାରେ ଦିଆଯାଇଥିବା ଟୋଲ ଫ୍ରି ନମ୍ବରରେ ଫୋନ୍ କରିଥିଲେ ଭୀମସେନ । ପଶ୍ଚିମାଂଚଳ ଡିଆଇଜି ମାମଲାର ତଦନ୍ତ କରି ସଂପୃକ୍ତ ବ୍ୟାଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଗତ ଅକ୍ଟୋବର ୩୦ ତାରିଖରେ ଭୀମସେନଙ୍କ ଆକାଉଂଟକୁ ୮୦ ହଜାର ଟଙ୍କା ଫେରସ୍ତ ଆସିଯାଇଛି । ତେବେ ଭୀମସେନ କେମିତି ଟଙ୍କା ଫେରିପାଇଲେ ସେନେଇ ବ୍ୟାଙ୍କ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।