ବାବା ଧବଳେଶ୍ୱର ପାଖରେ ଲାଗିହେଲା ଗଜଭୋଗ : ରାତି ଗୋଟାଏରୁ ଆରମ୍ଭ ହୋଇଥିଲା ନୀତିକାନ୍ତି

କରୋନା କଟକଣା ଭିତରେ ପାଳିତ ହେଲା ବଡ଼ ଓଷା

111

କନକ ବ୍ୟୁରୋ : କଟକର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ଗଜଭୋଗ । ଏଥିପାଇଁ ରାତି ଗୋଟାଏରୁ ନୀତିକାନ୍ତି ଆରମ୍ଭ ହୋଇଥିଲା । ମଙ୍ଗଳ ଆଳତୀ ପରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରାଯାଇ ଖେଚୁଡ଼ି ଭୋଗ ଲାଗି ହୋଇଥିଲା । ଏହା ପରେ ମହାସ୍ନାନ କରାଯାଇ ବଡ଼ସିଂହାର ବେଶରେ ସୁସଜ୍ଜିତ ହୋଇଥିଲେ ବାବା ଧବଳେଶ୍ୱର । ତେବେ ବିଳମ୍ବିତ ରାତିରେ ଧବଳେଶ୍ୱର ପୀଠରେ ଲାଗିହୋଇଛି ଗଜଭୋଗ । ବିଭିନ୍ନ ସୁଗନ୍ଧିତ ପୁଷ୍ପ, ଚାନ୍ଦିର ପଦ୍ମ, ଚନ୍ଦ୍ର, ତ୍ରିଶୂଳ, ଡ଼ମ୍ବରୁ, ନାଗ, ମୁକୁଟ ଓ ସୁବର୍ଣ୍ଣ ଚମ୍ପା ଆଦି ଆଭୂଷଣରେ ଶ୍ରୀ ଧବଳେଶ୍ବରଙ୍କ ଦୁର୍ଲ୍ଲଭ ବଡ଼ ସିଙ୍ଗାର ବେଶ କରାଯାଇଛି ।

ପୂର୍ବାହ୍ନରେ ପାଳୁଅ ଭୋଗ, ରାତ୍ର ପ୍ରଥମ ପ୍ରହରରେ ଦହି ପଖାଳ ଲାଗି କରାଯାଇଥିବା ବେଳେ ରାତି ୩ଟାରେ ‌ଗଜ‌ ଭୋଗ ଉଠିବା ବ୍ୟବସ୍ଥା କରାଯାଇଛି । ବଡ଼ଓଷା ଗଜ ଭୋଗ ପାଇଁ ପୀଠର ରୋଷ ଗୃହରେ ସେବକମାନେ ଶୁଦ୍ଧପୂତ ଭାବରେ ଢିଙ୍କିକୁଟା ଅରୁଆ ଚାଉଳ ଚୁନାକୁ ଯନ୍ତି ସେଥିରେ ମୁଗ, ନଡ଼ିଆ, ଗୁଡ଼ ମିଶ୍ରିତ କଳାପୁର ଦେଇ ଗଜଭୋଗ ଓ ତରଣ ପ୍ରସ୍ତୁତ କରିଛନ୍ତି । ତ୍ରୟୋଦଶୀ-ଚତୁର୍ଦଶୀର ସନ୍ଧିକ୍ଷଣ ସମୟ ପ୍ରତ୍ୟୁଷ ସାଢେ ୩ଟାରୁ ୪ଟା ମଧ୍ୟରେ ଧବଳେଶ୍ବର ମହାଦେବଙ୍କ ନିକଟରେ ବଡଓଷାର ପ୍ରିୟ ଭୋଗ ଗଜଭୋଗ ଓ ତରଣ ଲାଗି କରାଯାଏ ବୋଲି ପୂଜକ ସମାଜ ସଭାପତି ବିଷ୍ଣୁଚରଣ ପତ୍ରୀ ସୂଚନା ଦେଇଛନ୍ତି । ଗୁରୁବାର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ବାବା ଧବଳେଶ୍ବରଙ୍କ ହରିହର ବେଶ ଅନୁଷ୍ଠିତ ହେବ । ଆଠଗଡ଼ ଉପ ଜିଲ୍ଲାପାଳ ତଥା ଦେବୋତ୍ତର ମୁଖ୍ୟ ହେମନ୍ତ କୁମାର ସ୍ୱାଇଁ, ତହସିଲଦାର ପ୍ରିୟବ୍ରତ ଦାସ ପୀଠରେ ଉପସ୍ଥିତ ରହି ସମସ୍ତ ନୀତିକାନ୍ତି ଓ କଟକଣା ବ୍ୟବସ୍ଥାର ତଦାରଖ କରୁଛନ୍ତି ।