ଆଇଆଇସି କରୋନା ପଜିଟିଭ ଚିହ୍ନଟ ପରେ କଂଟେନମେଂଟ ଜୋନ ଘୋଷଣା ହେଲା ବଡମ୍ବା ଥାନା: ଥାନାର ୭କର୍ମଚାରୀଙ୍କ ହେବ ସ୍ୱାବ ଟେଷ୍ଟ

ସଂକ୍ରମଣ ଆଶଙ୍କା ଏଡାଇବାକୁ ଗୁରୁଡି ଝାଟିଆ ଓ ଖୁଂଟୁଣୀ ଥାନାର ସମସ୍ତ କର୍ମଚାରୀଙ୍କ ମଧ୍ୟ ହେବ କରୋନା ପରୀକ୍ଷା

583

କନକ ବ୍ୟୁରୋ: ବଡମ୍ବା ଥାନାରେ ଆଇଆଇସି କରୋନା ପଜିଟିଭ ଚିହ୍ନଟ ହେବ ପରେ ଥାନାକୁ  କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଏହାସହ ଥାନାର ୭ଜଣ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ଆଜି କରାଯିବ । ଥାନାର ଏହି ୭ଜଣ ଥଣ୍ଡା ଜରରେ ଆକ୍ରାନ୍ତ ହୋଇଛନ୍ତି । ଏହାସହ ଏସଡିପିଓ, ତାଙ୍କ ଡ୍ରାଇଭର ଓ ଆଡିସନାଲ ଏସପିଙ୍କ ଡ୍ରାଇଭରଙ୍କ ମଧ୍ୟ କରୋନା ଟେଷ୍ଟ କରାଯିବ । ସେହିପରି ଗୁରୁଡି ଝାଟିଆ ଓ ଖୁଂଟୁଣୀ ଥାନାର ସମସ୍ତ କର୍ମଚାରୀଙ୍କ ମଧ୍ୟ ସ୍ୱାବ ଟେଷ୍ଟ କରାଯିବ । ଗତକାଲି ଆଇଆଇସି କରୋନା ପିଜଟିଭ ଚିହ୍ନଟ ହେବା ପରେ ଥାନାକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି ।

ଏପଟେ, କରୋନାର ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଦିନରାତି ପରିଶ୍ରମ କରୁଥିବା ବେଳେ ନିୟମର ଖୋଲାଖୋଲି ଉଲଂଘନ କରୁଥିବା ନେଇ ଅଭିଯୋଗ ଆସିଛି । ଭୁବନେଶ୍ୱର ଶ୍ରୀବିହାର ଅଂଚଳରୁ ଆସିଛି ଏଭଳି ଏକ ଅଭିଯୋଗ । ଶ୍ରୀବିହାର ଅଂଚଳରେ ଏକ  ଆପାର୍ଟମେଂଟ ନିର୍ମାଣ ହେଉଛି । ଆଉ ପ୍ରଶାସନର ଅଗୋଚରରେ ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ କିଛି ଶ୍ରମିକ ଆସି ଏଠାରେ କାମ କରୁଛନ୍ତି । ଦୀର୍ଘଦିନ ହେଲା ଏମାନେ ଏହି ଆପାର୍ଟମେଂଟରେ ରହିବା ସହ କାମ କରୁଥିବା ବେଳେ ଆଖପାଖ ଅଂଚଳରେ ବୁଲାବୁଲି କରୁଛନ୍ତି ।

ପଶ୍ଚିମବଙ୍ଗରେ କରୋନାରସଂକ୍ରମଣ ଅଧିକ ରହିଥିବାରୁ ଏବଂ ଓଡିଶାକୁ ପଶ୍ଚିମବଙ୍ଗରୁ ସଂକ୍ରମଣ ବ୍ୟାପୁଥିବାରୁ ପ୍ରଶାସନ ପଦକ୍ଷେପ ନେଇଛି । ହେଲେ ଏହାର ଉଲଂଘନ ହେଉଥିବା ନେଇ ଅଭିଯୋଗ ହୋଇଛି । ନିର୍ମାଣଧୀନ ଆପାର୍ଟମେଂଟକୁ ସିଲ କରିବା ସହ ତାରି ଭିତରେ ଶ୍ରମିକ ମାନଙ୍କୁ ୧୪ ଦିନ କ୍ୱାରେନଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବଧି ଭିତରେ ଶ୍ରମିକଙ୍କ ଠାରେ ଲକ୍ଷଣ ଦେଖାଗଲେ ସେମାନଙ୍କୁ କୋଭିଡ ହସ୍ପିଟାଲ ପଠାଯିବ ନଚେତ ଛାଡିଦିଆଯିବ ।