ପୁରୀରେ ଆଜି ଦ୍ୱିତୀୟ ବଡଦାଣ୍ଡ ମହୋତ୍ସବ । ନୋ ପାର୍କିଂ ସ୍ଥାନରେ ଆକର୍ଷଣୀୟ ରଙ୍ଗୋଲୀ ଓ ଝୋଟି ଅଙ୍କନ

127

କନକ ବ୍ୟୁରୋ: ପୁରୀରେ ରବିବାର ଜମିଛି ବଡଦାଣ୍ଡ ମହୋତ୍ସବ । ଆଜି ପ୍ରତ୍ୟୁଷରେ ସିଂହଦ୍ୱାର ସମ୍ମୁଖ ଅରୁଣ ସ୍ତମ୍ଭ ନିକଟରେ ସମୂହ ଦୀପଦାନ କରି ମହୋତ୍ସବର ଆରମ୍ଭ କରାଯାଇଥିଲା । ପରେ ଜଗନ୍ନାଥାଷ୍ଟକ ଆବୃତି କରାଯାଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସାମୂହିକ ଦୀପଦାନ କରାଯାଇଥିଲା । ତେବେ ବିଭିନ୍ନ ବର୍ଗର ନାଗରିକ, ସଙ୍ଗଠନ, ଛାତ୍ରଛାତ୍ରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଶ୍ରୀମନ୍ଦିର ସମ୍ମୁଖରେ ସଫେଇ କରାଯିବା ସହ ଆକର୍ଷଣୀୟ ରଙ୍ଗୋଲି ଓ ଝୋଟି ଅଙ୍କନ କରାଯାଇଛି ।

ଏହାଛଡା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ପାରମ୍ପରିକ ନୃତ୍ୟ ବି ପରିବେଷଣ କରାଯାଇଥିଲା । ଶ୍ରୀମନ୍ଦିର ପରିକ୍ରମା ମାର୍ଗର ପରିଚ୍ଛନ୍ନତା ଓ ପବିତ୍ରତାର ସୁରକ୍ଷା ପ୍ରଦାନ କରାଯିବା ସହ ଏହି ଅଂଚଳକୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ୍ୟରେ ପ୍ରତ୍ୟେକ ରବିବାର ଦିନ ବଡଦାଣ୍ଡ ଉତ୍ସବର ଆୟୋଜନ କରାଯାଉଛି । ପୁରୀ ଜିଲ୍ଲା ପ୍ରଶାସନ ଓ ନାଗରିକଙ୍କ ପକ୍ଷରୁ ଏହାର ଆୟୋଜନ କରାଯାଇଛି ।