ନିଲମ୍ବିତ IICଙ୍କ ବିରୋଧରେ ମାମଲା: ଆଇନ ଉଲ୍ଲଂଘନ ଅଭିଯୋଗରେ ବଡଚଣା ଥାନାରେ ରୁଜୁ ହେଲା ମାମଲା; ଜବତ ଗାଡିରେ ହଳଦିଆ ବତି ଲଗାଇ ପୁରୀ ଯାଇଥିବା ଅଭିଯୋଗ

ତାଲାବନ୍ଦ କଟକଣା ସତ୍ତ୍ୱେ ପରିବାର ସହ ଯାଇଥିଲେ ଶ୍ରୀମନ୍ଦିର

398

କନକ ବ୍ୟୁରୋ: ବଡଚଣା ଆଇଆଇସିଙ୍କ ବିରୋଧରେ ଥାନାରେ ମାମଲା ରୁଜୁ । ବଡଚଣା ଥାନାରେ ମାମଲା ରୁଜୁ କରାଯାଇଛି । ରବିବାର ଦିନ କଟକଣା ସତ୍ୱେ ପରିବାର ସହ ଶ୍ରୀମନ୍ଦିରରେ ପ୍ରବେଶ କରି ନିଲମ୍ବିତ ହୋଇଥିଲେ । ଏକ ଗାଡିରେ ହଳଦିଆ ବତି ଲଗାଇ ପୁରୀ ଶ୍ରୀମନ୍ଦିର ଯାଇଥିଲେ ଯାଜପୁର ବଡଚଣା ଥାନା ଅଧିକାରୀ । ତାଲାବନ୍ଦ କଟକଣା ନିୟମ ଭାଙ୍ଗି ଶ୍ରୀମନ୍ଦିର ଯାଇଥିଲେ । ଏହି ପ୍ରସଙ୍ଗରେ ଥାନା ବାବୁଙ୍କୁ ନିଲମ୍ବିତ କରିଥିଲେ ପୋଲିସ୍ ଡିଜି ଅଭୟ ।

ଲକଡାଉନ ନିୟମ ଭାଙ୍ଗିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣାକୁ ଉଲଂଘନ କରି ବଡଚଣା ଥାନା ଅଧିକାରୀ ବଡଦେଉଳ ପ୍ରବେଶ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି ସେ ଏକୁଟିଆ ନୁହନ୍ତି, ପରିବାର ସହ ମନ୍ଦିର ଭିତରକୁ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା । ଦକ୍ଷିଣଦ୍ୱାର ନିକଟରେ ଦାୟିତ୍ୱରେ ଥିବା ଜଣେ ହାବିଲଦାର ତାଙ୍କୁ ପ୍ରବେଶ କରିବାକୁ ମନା କରିଥିଲେ ମଧ୍ୟ ଏହାକୁ ଖାତିର ନକରି ସେ ପରିବାର ସହ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ତେଣୁ ତାଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ ହାବିଲଦାର ।