ବଡବିଲରେ ଆଉ ୭ ଦିନ ବଢିଲା ସଟଡାଉନ୍: ଜିଲ୍ଲାରେ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତି; ବଡବିଲ୍ ମୁନିସିପାଲଟିରେ ୨୦ ତାରିଖ ଯାଏଁ କଟକଣା ଲାଗୁ

185

କନକ ବ୍ୟୁରୋ: ବଡବିଲ୍ ମୁନିସିପାଲଟିରେ ବଢିଲା ସଟଡାଉନ୍ ଅବଧି । କେନ୍ଦୁଝର ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବଢିବା ପରେ ବଡବିଲ୍ ମୁନିସିପାଲିଟିରେ ଲାଗୁ ହୋଇଥିବା ସଟଡାଉନ୍ ଅବଧିକୁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ଏହି ସଟଡାଉନ୍ ଅବଧି ୧୩ ତାରିଖରେ ଶେଷ ହେଉଥିଲା । ଏବେ ଏହାକୁ ଜୁଲାଇ ୨୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ସେହିପରି ଜିଲ୍ଲାରେ ମଧ୍ୟ ସାପ୍ତାହିକ ଦୁଇ ଦିନ ଶନିବାର ଓ ରବିବାର ସଟଡାଉନ୍ ଲାଗୁ ହୋଇଛି ।

ସେପଟେ, ରାଇକିଆରେ ୨ ଆକ୍ରାନ୍ତ ଚିହ୍ନଟ ପରେ ବଢିଲା ପ୍ରଶାସନର ଚିନ୍ତା । ରାଇକିଆରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଂଚଳର ନିକଟବର୍ତୀ ୨୭ଟି ଗାଁରେ ଲାଗୁ ହୋଇଛି କଟକଣା । ୧୨ଟି ଗାଁ କଂଟେନମେଂଟ ଜୋନ୍ ଏବଂ ୧୫ଟି ଗାଁ ବଫର ଜୋନ୍ ଘୋଷଣା ହୋଇଛି । ଏହି ଅଂଚଳରେ ଥିବା ସବୁ ସରକାରୀ , ବେସରକାରୀ ଅଫିସ ସହିତ ବ୍ୟାଙ୍କ ଉପରେ ବି ଲାଗୁ ହୋଇଛି କଟକଣା ।

ଗଂଜାମ ଜିଲ୍ଲାରୁ ନିକଟରେ ଜଣେ ୧୫ ବର୍ଷୀୟ ବାଳକ ତାଙ୍କ ମାମୁଁ ଘରକୁ ଆସିଥିବା ବେଳେ ତାଙ୍କ ଠାରେ ମିଳିଛି କୋଭିଡ ଭୂତାଣୁ । ଆଉ ଜଣେ ଘରୋଇ ସଂସ୍ଥାର କର୍ମଚାରୀ ବି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ୨୭ଟି ଗାଁରେ କଟକଣା ଜାରି କରି ପ୍ରଶାସନ ଡାକବାଜି ଯନ୍ତ୍ର ସହାୟତାରେ ସମସ୍ତଙ୍କୁ ଘରୁ ପଦାକୁ ନବାହାରିବାକୁ ନିବେଦନ କରିଛି । କଂଟେନମେଂଟ ଜୋନ୍ ଏବଂ ବଫର ଜୋନ୍ ଘୋଷଣା ହୋଇଥିବା ଗାଁ ଗୁଡିକୁ ବାହାର ଅଂଚଳର ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି ।