ଆଜି ବଡଓଷା: ଧବଳେଶ୍ୱରପୀଠରେ ଶ୍ରଦ୍ଧାଳୁଙ୍କ ଭିଡ; ପ୍ରଭୁଙ୍କ ପାଖରେ ଲାଗି ହେବ ସ୍ୱତନ୍ତ୍ର ଗଜପିଠା

ଦର୍ଶନ ପାଇଁ ଅପେକ୍ଷାରେ ହଜାର ହଜାର ଶ୍ରଦ୍ଧାଳୁ; ସୁରକ୍ଷା ବ୍ୟବସ୍ଥା କଡାକଡି

473

କନକ ବ୍ୟୁରୋ: ଆଜି ବଡଓଷା ପର୍ବ ପାଇଁ ଆଠଗଡର ଧବଳେଶ୍ୱର ପୀଠ ଚଳଚଂଚଳ । ଏଠାରେ ମହାସମାରୋହରେ ପାଳନ କରାଯାଉଛି ଏହି ପର୍ବ । ଏହି ଅବସରରେ ଏଠାରେ ଗଜଭୋଗ ପୂଜା କରାଯାଇଥାଏ । ଅରୁଆ ଚାଉଳ ଚୁନାରେ ତିଆରି ହୋଇଥିବା ପିଠାକୁ ଏହି ଭୋଗରେ ଅର୍ପଣ କରାଯାଏ ।ଏଥିପାଇଁ ସ୍ୱତନ୍ତ୍ର ରିତିନୀତି ରହିଥାଏ । କୁହାଯାଏ ବ୍ରହ୍ମାଙ୍କ ଦ୍ୱାରା ସାପଗ୍ରସ୍ତ ହେବାପରେ ଦେବରାଜ ଇନ୍ଦ୍ର ଧବଳେଶ୍ୱର ପୀଠକୁ ଆସି ସାପମୁକ୍ତ ହୋଇଥିଲେ । ଆଜି ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଥାଏ । ତେଣୁ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଆଜି ବଡଓଷା । ଆଜି କାର୍ତ୍ତିକ ମାସ ତ୍ରୟୋଦଶ ତିଥି । ଓଡିଶାର ସମସ୍ତ ଶୈବପୀଠରେ ଆଜି ଏହି ଓଷା ପାଳନ କରାଯାଏ । ଏହି ଦିନରେ ମହାଦେବଙ୍କ ନିକଟରେ ସ୍ୱତନ୍ତ୍ର ଭୋଗ ଲାଗି ହୁଏ । ଏହାକୁ ଗଜ ଭୋଗ କୁହାଯାଏ । ଅରୁଆ ଚାଉଳ ଚୂନା ପ୍ରସ୍ତୁତ ଖଳି, ନଡିଆ, ଗୁଡ, ଗୁଜରାତି ଆଦିରେ ଏହା ପ୍ରସ୍ତୁତ କରି ଭୋଗ କରାଯାଏ । ଭୋଗ ଲଗାଯିବା ପରେ ବ୍ରତଧାରୀ, ଭକ୍ତ ଓ ଶ୍ରଦ୍ଧାଳୁମାନେ ଖାଆନ୍ତି ।

ବଡ ଓଷା ପାଇଁ ଚଳଚଂଚଳ ହୋଇପଡିଛି ବିଭିନ୍ନ ଶୈବ ପୀଠ । ମହାନଦୀ ଭିତରେ ଏକ ଟାପୁରେ ଥିବା ଧବଳେଶ୍ୱର ପୀଠରେ ଏହି ଓଷା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ବଡ ଓଷା ପାଇଁ ଧବଳେଶ୍ୱରପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ସେହିପରି ରାଜ୍ୟର ଅନ୍ୟ ଶୈବପୀଠ ଗୁଡିକରେ ମଧ୍ୟ ବଡଓଷା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।