ବଢ଼ୁଛି ଆଫଗାନିସ୍ତାନବାସୀଙ୍କ ସଙ୍କଟ । ପାଖରେ ନାହିଁ ଟଙ୍କା, ବ୍ୟାଙ୍କ ବନ୍ଦ । ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍ ଆକାଶଛୁଆଁ, ପାଣି ବୋତଲର ଦାମ ୩ହଜାର ଟଙ୍କା ।

341

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଦୈନନ୍ଦିନ ବ୍ୟବହାର ହେଉଥିବା ସାମଗ୍ରୀର ଦର ବଢିଯାଇଛି । ଲୋକଙ୍କ ପାଖରୁ ଟଙ୍କା ସରି ଯାଇଥିବା ବେଳେ ବ୍ୟାଙ୍କ, ଏଟିଏମ ବନ୍ଦ ଥିବାରୁ ଲୋକଙ୍କ ସମସ୍ୟା ବଢିଯାଇଛି । ଏହାର ପ୍ରତିବାଦରେ ଅଫଗାନିସ୍ତାନ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇ ବ୍ୟାଙ୍କ ଖୋଲିବାକୁ ଦାବି କରିଛନ୍ତି ।

ବଢ଼ୁଛି ଆଫଗାନବାସୀଙ୍କ ସଙ୍କଟ । ପାଖରେ ଟଙ୍କା ନାହିଁ, ବ୍ୟାଙ୍କ ବନ୍ଦ । କାବୁଲକୁ ତାଲିବାନ କବଜା କରିବା ପରେ ସେଠାରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାୟ ଦୁଇ ସପ୍ତାହ ହେବ ସମସ୍ତ ବ୍ୟାଙ୍କ ବନ୍ଦ ରହିଛି । ଏଟିଏମରେ ଟଙ୍କା ନାହିଁ । ଲୋକଙ୍କ ପାଖରେ ଯାହା କିଛି ଥିଲା ତାହା ସରିଆସିଲାଣି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ରାସ୍ତାକୁ ଓହ୍ଲାଇଛନ୍ତି ସାଧାରଣ ଲୋକ । ଶତାଧିକ ଲୋକ ରାସ୍ତାରେ ନାରାବାଜି ଦେଇ ପ୍ରତିବାଦ କରିଛନ୍ତି  । ବନ୍ଦ ରହିଥିବା ବ୍ୟାଙ୍କକୁ ତୁରନ୍ତ ଖୋଲିବା ସହ ଏଟିଏମକୁ ଚାଲୁ କରିବାକୁ ଦାବି କରିଛନ୍ତି ।

ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍ ଆକାଶଛୁଆଁ । ପାଣି ବୋତଲ ଦାମ ୩ହଜାର ଟଙ୍କା । ଲୋକଙ୍କ ପାଖରେ ଟଙ୍କା ସରି ଆସୁଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ଭାବେ ବଢ଼ିବାରେ ଲାଗିଛି । କାବୁଲ ଏୟାରପୋର୍ଟରେ ପାଣି ବୋତଲ ତିନି ହଜାର ଓ ଗୋଟିଏ ପ୍ଲେଟ ଭାତ ସାଢେ ୭ ହଜାରରେ ପହଞ୍ଚିଛି । ଏଭଳି ସ୍ଥିତିରେ କେମିତି ଜୀବନ ବଞ୍ଚାଇବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଆଫଗାନ ନାଗରିକ । ଆଉ ବଢ଼ୁଛି ଅସନ୍ତୋଷ ।

ସରି ଆସୁଛି ଆମେରିକାର ଡେଡଲାଇନ୍ । ସମସ୍ତ ସେନା ଫେରାଇ ନେବ ଆମେରିକା । ଆଫଗାନିସ୍ତାନ ବାରୁଦ ଗଦା ଉପରେ ଛିଡା ହୋଇଥିବାବେଳେ ସରି ଆସୁଛି ଆମେରିକା ଦେଇଥିବା ସମୟସୀମା । ଏଥିପାଇଁ ଏବେ ବିମାନବନ୍ଦରରେ ମୂତୟନ ଥିବା ଆମେରିକୀୟ ସେନା ନିଜ ଦେଶକୁ ଫେରିବା ଆରମ୍ଭ କରିଛନ୍ତି । ପର୍ଯ୍ୟାୟ କ୍ରମେ ସ୍ୱଦେଶକୁ ଫେରୁଛନ୍ତି ଆମେରିକା ସେନା । ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ସେନାଙ୍କୁ ଫେରାଇ ନେବାକୁ ପୂର୍ବରୁ ଘୋଷଣା କରିଥିଲେ ରାଷ୍ଟ୍ରପତିି ବାଇଡେନ୍ ।

କାବୁଲ ବିମାନବନ୍ଦରକୁ କବଜା କରୁଛନ୍ତି ତାଲିବାନ । ଆମେରିକା ଛାଡିଲେ ସମ୍ପୂର୍ଣ୍ଣ ଅକ୍ତିଆରକୁ ନେବା ଲକ୍ଷ । ୩୧ ଅଗଷ୍ଟରେ ଆଫଗାନ ଛାଡିବ ଆମେରିକା ସେନା । ଏହା ପରେ କାବୁଲ ବିମାନବନ୍ଦରକୁ ପୂରା ନିଜ ଅଧିନକୁ କିଭଳି ନେଇ ହେବ ଏନେଇ ରଣନୀତି କରୁଛି ତାଲିବାନ । ବିମାନବନ୍ଦରର ଚାରିପଟକୁ ସିଲ କରିବା ସହ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ଜଗି ରହିଛନ୍ତି । ଏପରିକି ବିମାନବନ୍ଦରର କିଛି ଅଂଶକୁ ମଧ୍ୟ ତାଲିବାନୀମାନେ ନିଜ କବଜାକୁ ନେଇ ସାରିଥିବା ସୂଚନା ମିଳିଛି । ଅନ୍ୟପଟେ ତାଲିବାନ ଦ୍ୱାରା ବାଗ୍ରାମ୍ ଜେଲରୁ ମୁକ୍ତ ହେବା ପରେ ଅତି କମରେ ୧୪ ଜଣ କେରଳୀ ଇସଲାମିକ୍ ଷ୍ଟେଟ୍-ଖୁରାସାନ୍ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ଜଣାପଡ଼ିଛି । ଯାହାକି ଭାରତ ପାଇଁ ଚିନ୍ତା ବଢାଇ ଦେଇଛି ।