ବଲାଙ୍ଗୀରର ପ୍ଲାନିଂ ସହରରେ ବଡ ସମସ୍ୟା ଖରାପ ରାସ୍ତା । ମରାମତି ଅଭାବରୁ ରାସ୍ତାରୁ ଉଠିଗଲାଣି ସିମେଣ୍ଟ କଂକ୍ରିଟ୍

62

କନକ ବ୍ୟୁରୋ: ବଲାଙ୍ଗିର ସହର ହେଉଛି ପ୍ଲାନିଙ୍ଗ ସହର । କାରଣ ଓଡିଶାର ଏହା ହେଉଛି ପ୍ରଥମ ସହର । ଯେଉଁଠି ସହରର ରାସ୍ତା ଓ ଘର ଗୁଡିକ ସବୁ ପ୍ଳାନିଙ୍ଗ ଅନୁସାରେ ସିଧାସିଧା ଓ ଚଉଡା ହେବା ସହ ଡ୍ରେନେଜ ବ୍ୟବସ୍ଥା ରହିଥିଲା । ହେଲେ ଏବେ ଡ୍ରେନ ଗୁୁଡିକ ଅବସ୍ଥା ଯାହା ଥାଉ ରାସ୍ତା ଗୁଡିକ ମରାମତି ଅଭାବରୁ ମରଣଯନ୍ତା ପାଲଟିଛି । ସହରର ସବୁ ରାସ୍ତା ଭାଙ୍ଗି ଶୋଚନୀୟ ହୋଇପଡିଛି ।

ବଲାଙ୍ଗୀର ସହର ପାଇଁ ଏବେ ଦୁଃଖ ପାଲଟିଛି ଏହି ରାସ୍ତା । କେଉଁଠି କଂକ୍ରିଟ୍ ଉଠିଗଲାଣି ତ ଆଉ କେଉଁଠି ଖାଲଖମା । ରାସ୍ତାର ଅବସ୍ଥା ଏମିତି ସବୁବେଳେ ଧୁଳି ଉଡୁଥିବା ବେଳେ ଆବଡାଖାବଡା ରାସ୍ତାରେ ଗଲା ବେଳେ ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ବୟସ୍କ ଲୋକ କହୁଛନ୍ତି, ରାସ୍ତାରେ ଚାଲିବାକୁ ଭୟ ଲାଗୁଛି ।

ଆଗରୁ ଏ ରାସ୍ତାର ଦୃଶ୍ୟ ଅଲଗା ଥିଲା । ବଲାଙ୍ଗିର ସହରର ରାସ୍ତା ଗୁଡିକ ସଫା ସୁତୁରା ରହିବା ସହ ଭଲ ଥିଲା । ହେଲେ ଦୀର୍ଘ ଦିନରୁ ମରାମତି ଅଭାବରୁ ରାସ୍ତାର ଏ ଦୁଃରାବସ୍ଥା ଦେଖିବାକୁ ମିଳିଛି । ଯଥାଶୀଘ୍ର ମରାମତି ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ଅନ୍ୟପଟେ ପୌରପରିଷଦ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ସହରର ପ୍ରାୟ ୫୦୦ଟି ରାସ୍ତା ପାଇଁ ଟେଣ୍ଡର ସରିଛି, ଖୁବ୍ଶୀଘ୍ର ରାସ୍ତା ଗୁଡିକ ମରାମତି ହେବ । ଲୋକଙ୍କ ଟିକସ ପଇସାରେ ବିଭିନ୍ନ ଉନ୍ନତିମୂଳକ କାମ ହେଉଛି । ବଲାଙ୍ଗୀରରେ ମଧ୍ୟ ଉନ୍ନତିମୂଳକ କାମ କରିବା ଜରୁରୀ ହୋଇପଡିଛି ।