କନକ ବ୍ୟୁରୋ: ସ୍ମାର୍ଟ ଫୋନ କେବଳ ବୟସ୍କ ଲୋକଙ୍କ ଜୀବନ ଶୈଳୀକୁ ପ୍ରଭାବିତ କରୁନାହିଁ, ଛୋଟ ପିଲାଙ୍କୁ ମଧ୍ୟ ପ୍ରଭାବିତ କରୁଛି । ଶିଶୁରୋଗ ବିଶେଷଜ୍ଞଙ୍କ ମତରେ ମୋବାଇଲରେ ବୁଡ଼ି ରହିବା ଫଳରେ ଯେଉଁଭଳି ଭାବେ ମାନସିକ ବିକାଶ ହେବା କଥା ହେଉନାହିଁ । ଅନେକ ସମୟରେ ଆପଣ ଦେଖିଥିବେ, ଖାଇବା ବେଳେ ପିଲାଙ୍କ ହାତରେ ମୋବାଇଲ ଧରାଇ ଦେଇଥାଆନ୍ତି ବାପା-ମାଆ । ବିଶେଷଜ୍ଞଙ୍କ ମତରେ, ମୋବାଇଲ ଦେଖି ପିଲାଟି ଖାଇ ଦେଇଥାଏ ସତ, କିନ୍ତୁ କ’ଣ ଖାଉଛି ଜାଣିପାରେ ନାହିଁ । ଖାଦ୍ୟ ପ୍ରତି ଆଗ୍ରହ କମି ଯାଇଥାଏ । କେବଳ ସେତିକି ମୋବାଇଲ ବ୍ୟବହାର ଫଳରେ ପରିବାର ଲୋକଙ୍କ ସହ କଥାବାର୍ତା କରିବା କମିଯାଏ, ଗୁମସୁମ ହୋଇ ବସିରହେ । ଯେଉଁ ସମୟରେ କଥା କହିବା ଆରମ୍ଭ କରିବା କଥା, ସେଥିରେ ବିଳମ୍ବ ହୁଏ । ଡାକ୍ତରଖାନାରେ ଏପରି କେସ୍ ଏବେ ବଢ଼ି ବଢ଼ି ଚାଲିଛି ।
ନଜର ପକାନ୍ତୁ ଅତ୍ୟଧିକ ସ୍ମାର୍ଟଫୋନ ବ୍ୟବହାର କରିବା ଯୋଗୁଁ ପିଲାଙ୍କ ଉପରେ କେଉଁ ପ୍ରକାର କୁପ୍ରଭାବ ପଡ଼ିବା ଆଶଙ୍କା ରହିଛି ।
ପିଲାଙ୍କ ଉପରେ ସ୍ମାର୍ଟଫୋନ ପ୍ରଭାବ
ଖାଦ୍ୟ ରୁଚି କମିଯାଉଛି
କଥା କହିବା ବିଳମ୍ବ ହେଉଛି
ପରିବାର ଲୋକଙ୍କ ଅପେକ୍ଷା କାଟୁନ୍ ଚରିତ୍ର ସହ ଅଧିକ ସଂପର୍କ ବଢୁଛି
ସୁସ୍ଥ ଶିଶୁ ମାନସିକ ଅନଗ୍ରସର ହେବା ଆଶଙ୍କା ରହିଛି
ଆଖି ଉପରେ କୁପ୍ରଭାବ ପଡୁଛି
ମୋବାଇଲ ଫୋନ ବ୍ୟବହାର ଫଳରେ ଶିଶୁଙ୍କ ଆଖି ଉପରେ ଅଧିକ ପ୍ରଭାବ ପଡୁଛି । ଦୃଷ୍ଟିଶକ୍ତି ହ୍ରାସ ପାଉଥିବା ସହ ଆଖି ଲୁହ ମଧ୍ୟ ଶୁଖିଯାଉଛି । ହସ୍ପିଟାଲରେ ଏପରି ରୋଗରେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବାପା-ମାଆଙ୍କୁ ସତର୍କ କରିଛନ୍ତି ବିଶେଷଜ୍ଞ ଡାକ୍ତର । ଶିଶୁମାନଙ୍କ ଉଭୟ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ସଂକଟରେ ପଡୁଥିବାରୁ ସ୍କାର୍ଟ ଫୋନ ଠାରୁ ସେମାନଙ୍କୁ ଦୂରେଇ ରଖିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ଡାକ୍ତର ।
Follow Us