ବଡ ସ୍କୁଲରେ ଗରିବ ପିଲାଙ୍କୁ ନା

184

କନକ ବ୍ୟୁରୋ : ଶିକ୍ଷା ଅଧିକାର ଆଇନ ଅନୁଯାୟୀ ବେସରକାରୀ ବିଦ୍ୟାଳୟ ଗୁଡିକରେ ୨୫ ପ୍ରତିଶତ ସିଟ୍ ଆର୍ଥିକ ଅନଗ୍ରସର, ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ରହିଛି । କିନ୍ତୁ ବେସରକାରୀ ସ୍କୁଲରେ ପଢିବାକୁ ଏହି ବର୍ଗର ଛାତ୍ରଛାତ୍ରୀ ଅନାଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ଓଡିଶାର ୪୪୩୪ ବେସରକାରୀ ବିଦ୍ୟାଳୟ ପାରଦର୍ଶୀ ପୋର୍ଟାଲରେ ପଞ୍ଜିକୃତ କରିଥିଲେ । ସେଥିମଧ୍ୟରୁ ୧୧୩୧ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ୮୨୨୮ଜଣ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିଥିଲେ । ଏବଂ ୫୨୪୧ଜଣ ଛାତ୍ରଛାତ୍ରୀ ଲଟେରି ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇ ନାମ ଲେଖାଇଛନ୍ତି । ମୋଟ ୩୪୭୧୦ ସିଟ୍ ମଧ୍ୟରୁ ୨୯୪୬୯ ସିଟ୍ ବଳକା ରହିଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଗତକାଲି ବିଧାନସଭାରେ ସୂଚନା ଦେଇଛନ୍ତି ।
ଶିକ୍ଷା ଅଧିକାର ଆଇନରେ ସାମିଲ ସ୍କୁଲ ସମ୍ପର୍କରେ ବିଧାୟକ ମହମ୍ମଦ ମୋକିମଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସମୀର ଦାସ କହିଛନ୍ତି, ବେସରକାରୀ ବିଦ୍ୟାଳୟ ଗୁଡିକ ଅନଲାଇନରେ ପଞ୍ଜିକୃତ କରିନଥିବା ବିଷୟ ସରକାରଙ୍କ ଦୃଷ୍ଟିକୁ ଆସିନାହିଁ । ପ୍ଲେ’ ସ୍କୁଲରେ ନାମଲେଖା ପାଇଁ ବୟସ ସୀମା ସମ୍ପର୍କରେ ବିଧାୟକ ମୋକିମଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ଶିକ୍ଷା ଅଧିକାର ଆଇନ୍ ଅନୁଯାୟୀ ସମସ୍ତ ବେସରକାରୀ ବିଦ୍ୟାଳୟରେ କେବଳ ପ୍ରଥମ ଶ୍ରେଣୀରେ ୨୫ ପ୍ରତିଶତ ସିଟ୍ ଆଖପାଖରେ ଥିବା ଦୁର୍ବଳ ଶ୍ରେଣୀର ଶିଶୁ ଓ ସୁବିଧାରୁ ବଞ୍ଚିତ ଗୋଷ୍ଠୀର ସିଶୁଙ୍କ ପାଇଁ ସଂରକ୍ଷିତ ରଖାଯାଇଥାଏ ।