ବିଶ୍ୱ ଧନୀ ତାଲିକା : ୭ ନମ୍ବରକୁ ଖସିଲେ ଭାରତର ସବୁଠୁ ଧନୀ ଗୌତମ ଅଦାନୀ : ୨ଦିନରେ ୪ ଲକ୍ଷ ୧୭ ହଜାର କୋଟି ଟଙ୍କା କ୍ଷତି

603

କନକ ବ୍ୟୁରୋ : ଦୁଇ ଦିନରେ ୪ ଲକ୍ଷ ୧୭ ହଜାର କୋଟି ଟଙ୍କାର କ୍ଷତି ସହିଲେ ଭାରତର ସବୁଠୁ ଧନୀ ଗୌତମ ଅଦାନୀ । ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ପ୍ରକାଶ ପାଇବା ପରେ ଅଦାନୀ ଗ୍ରୁପ୍ ଅଧିନରେ ଥିବା କମ୍ପାନୀଗୁଡିକର ସେୟାର ମୂଲ୍ୟ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ତାଙ୍କର ସମ୍ପତିରେ ୪ ଲକ୍ଷ ୧୭ ହଜାର କୋଟି ଟଙ୍କା ହ୍ରାସ ପାଇବାରୁ ବିଶ୍ୱ ଧନୀ ତାଲିକାରେ ସେ ସପ୍ତମ ସ୍ଥାନକୁ ଖସିଆସିଛନ୍ତି । ଦୁଇ ଦିନରେ ଷ୍ଟକ ବଜାରରେ ଅଦାନୀ ଗ୍ରୁପର କମ୍ପାନୀଗୁଡିକର ସେୟାର ମୂଲ୍ୟ ହ୍ରାସ ଘଟିବାରୁ ଗୌତମ ଆଦାନୀଙ୍କୁ ବିପୁଳ କ୍ଷତି ସହିବାକୁ ପଡିଛି ।

ଗତ ବୁଧବାର ୧ ଲକ୍ଷ କୋଟି ଟଙ୍କା ହରାଇବା ପରେ ଶୁକ୍ରବାର ସେ ଆଉ ୩ ଲକ୍ଷ ୧୭ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ସୂଚନା ମୁତବାକ ଆଦାନୀ ଗ୍ରୁପ୍ର ୧୦ ଟି କମ୍ପାନୀ ମଧ୍ୟରୁ ୭ ଟି ସଂସ୍ଥାରେ ସେୟାର ମୂଲ୍ୟ ୨୦ ପ୍ରତିଶ୍ରତ ହ୍ରାସ ପାଇଛି । ହିଣ୍ଡେନବର୍ଗର ୩୨ ହଜାର ଶବ୍ଦରେ ପ୍ରକାଶ କରିଥିବା ରିପୋର୍ଟ ଆଦାନିର ଫଲୋଅନ ପବ୍ଲିକ ଅଫରକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିଛି । ଏପଟେ ଶୁକ୍ରବାର ସେନସେକ୍ସରେ ୮ଶହ ୭୪ ପଂଏଟ ହ୍ରାସ ପଇଁ ୫୯ ହଜାର ୩୩୦ ପଏଂଟରେ ବନ୍ଦ ହୋଇଛି । ନିବେଶକମାନେ ୧୦ ଲକ୍ଷ ୭୩ ହଜାର କୋଟି ଟଙ୍କା ହରାଇଛନ୍ତି । ଏକ ସମୟରେ ୧୨୩୦ ପଏଂଟ ଭଳି ବଡ ଧରଣର ହ୍ରାସ ହୋଇଥିଲା । କିନ୍ତୁ ଶେଷ ବେଳକୁ ସେଥିରେ ସାମାନ୍ୟ ସୁଧାର ଆସିଥିଲା ।