ବିଲକିସ୍ ବାନୋ ଦୁଷ୍କର୍ମକାରୀଙ୍କୁ ମିଳିଲାନି ଆଶ୍ୱସ୍ତି । ୨୧ ତାରିଖ ସୁଦ୍ଧା ସମସ୍ତ ୧୧ ଜଣ ଦୋଷୀଙ୍କୁ ଆତ୍ମସମର୍ପଣ କରିବାକୁ କହିଲେ ସୁପ୍ରିମକୋର୍ଟ

233

କନକ ବ୍ୟୁରୋ : ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ସମସ୍ତ ୧୧ ଦୋଷୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ୨୧ ତାରିଖ ସୁଦ୍ଧା ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ କହିଲେ ସର୍ବୋଚ୍ଚ ନାୟାଳୟ । ଆତ୍ମସମର୍ପଣ ପାଇଁ ସମୟ ମାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦୋଷୀ । ଶୁକ୍ରବାର ଏନେଇ ଶୁଣାଣି କରି ଦୋଷୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଆତ୍ମସମର୍ପଣ ପାଇଁ ଦୋଷୀମାନେ ଦର୍ଶାଇ ଥିବା କାରଣ ପ୍ରଯୁଜ୍ୟ ନୁହେଁ । ସେଥିପାଇଁ ସମୟବୃଦ୍ଧିର ପ୍ରଶ୍ନ ଉଠୁନାହିଁ । ୨୦୦୨ ଗୁଜରାଟ ଦଙ୍ଗା ପୀଡିତା ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ ସହ ତାଙ୍କ ପରିବାରର ୭ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଦୁଷ୍କର୍ମ ସମୟରେ ବିଲକିସ ବାନୋ ୫ ମାସର ଗର୍ଭବତୀ ଥିଲେ ଏବଂ ତାଙ୍କୁ ସେତେବେଳେ ମାତ୍ର ୨୧ ବର୍ଷ ହୋଇଥିଲା । ଏହି ମାମଲାରେ ଗୁଜରାଟ ଓ ମହାରାଷ୍ଟ୍ରର ତଳ କୋର୍ଟ ଏବଂ ହାଇକୋର୍ଟ ୧୧ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଗୁଜରାଟ ସରକାର ସ୍ୱତନ୍ତ୍ର କ୍ଷମା ନୀତି ବଳରେ ସମସ୍ତ ଦୋଷୀଙ୍କୁ ଦେଢ ବର୍ଷ ତଳେ ସମସ୍ତ ଦୋଷୀଙ୍କୁ ଜେଲରୁ ମୁକୁଳାଇ ଦେଇଥିଲେ । ଏହାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଲେ ବିଲକିସ ବାନୋ । ସୁପ୍ରିମକୋର୍ଟ ଏନେଇ ଶୁଣାଣି କରି କହିଛନ୍ତି, ଦୋଷୀଙ୍କ ଦଣ୍ଡ କୋହଳ କରାଯାଇ ପାରିବ ନାହିଁ କି ସମୟ ପୂର୍ବରୁ ସେମାନେ ଜେଲରୁ ମୁକୁଳି ପାରିବେ ନାହିଁ ।