ବିହାରରେ ବଡ଼ ରାଜନୈତିକ ହଲଚଲ । ଜେଡିୟୁ ଆରଜେଡି ମେଂଟରେ ଫାଟକୁ ନେଇ ଜୋର ଧରିଲା ଚର୍ଚ୍ଚା, ଖୁବଶୀଘ୍ର ବିଜେପି ସହ ସରକାର ଗଢିପାରନ୍ତି ନୀତୀଶ କୁମାର

94

କନକ ବ୍ୟୁରୋ : ବିିହାର ରାଜଧାନୀ ପାଟନାରେ ବଢିଯାଇଛି ରାଜନୈତିକ ହଲଚଲ । ଗୋଟିଏପଟେ ଜେଡିୟୁର ସମସ୍ତ ବିଧାୟକଙ୍କୁ ତୁରନ୍ତ ପାଟନାରେ ପହଁଚିବାକୁ କୁହାଯାଇଛି, ଅନ୍ୟପଟେ ରାବିଡି ଦେବୀଙ୍କ ବାସଭବନରେ ବସିଛି ଆରଜେଡି ବିଧାୟକଙ୍କ ବୈଠକ । କୁହାଯାଉଛି ମହାଗଠବନ୍ଧନ ଛାଡି ନୀତୀଶ କୁମାର ଏନଡିଏ ଶିବିରକୁ ଗଲେ, କଣ ସବୁ ବିକଳ୍ପ ରହିଛି ସେନେଇ ଆଲୋଚନା ଆରମ୍ଭ କରିଛି ଲାଲୁ ଯାଦବଙ୍କ ଦଳ । ପୂର୍ବରୁ ମହାଗଠବନ୍ଧ ସହ ରହିଥିବା ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା- ହମ ପାର୍ଟି ମୁଖ୍ୟ ଜୀତନରାମ ମାଂଝୀଙ୍କ ସହ ଆଲୋଚନା କରିଛନ୍ତି ଲାଲୁ ପ୍ରସାଦ ଯାଦବ । ନୀତୀଶ ମହାଗଠବନ୍ଧନକୁ ବାଏବାଏ କରି ବିଜେପି ଶିବିରକୁ ଗଲେ ଆରଜେଡି ପାଖରେ କଣ ବିକଳ୍ପ ରହିଛି ଜାଣିବା ପୂର୍ବରୁ ବିହାର ବିଧାନସଭା ଗଣିତକୁ ବିଝିବା ଜରୁରୀ ।

ବିିହାର ବିଧାନସଭା ଆସନ ସଂଖ୍ୟା- ୨୪୩
ସରକାର ଗଢି଼ବାକୁ ମ୍ୟାଜିକ ନମ୍ବର- ୧୨୨
ବିଜେପି ଆରଜେଡି
କେମିତି ଗଢ଼ିବ ସରକାର? କେମିତି ଗଢ଼ିବ ସରକାର?
ବିଜେପି- ୭୪ ଆରଜେଡି- ୭୯
ଜେଡିୟୁ- ୪୫ କଂଗ୍ରେସ- ୧୯
ହମ୍ ପାର୍ଟି- ୦୪ ବାମ ଦଳ- ୧୬

ବିହାର ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୪୩ । ସରକାର ଗଢିବାକୁ ମ୍ୟାଜିକ ନମ୍ବର ୧୨୨ । ମୋଟ୍ ୭୯ ଆସନ ସହ ଲାଲୁ ଯାଦବଙ୍କ ଆରଜେଡି ସବୁଠାରୁ ବଡଦଳ ଏବଂ ୭୮ ଆସନ ସହ ଦ୍ୱିତୀୟରେ ରହିଛି ବିଜେପି । ଦୁଇଦଳ ମ୍ୟାଜିକ ନମ୍ବର ଛୁଇଁ ପାରିନଥିବାରୁ ମାତ୍ର ୪୫ ଆସନ ଜିତିଥିବା ନୀତୀଶ କୁମାରଙ୍କ ଜେଡିୟୁ ଉପରେ ନିର୍ଭରଶୀଳ । କଂଗ୍ରେସର ୧୯ ଓ ବାମଦଳର ୧୬ ବିଧାୟକ ଅଛନ୍ତି । ଆରଜେଡି, କଂଗ୍ରେସ ଓ ବାମଦଳ ମିଶି ମୋଟ୍ ବିଧାୟକ ସଂଖ୍ୟା ୧୧୪ । ଏନଡିଏ ମେଂଟ ସହ ଥିବା ହମ ପାର୍ଟିପାଖରେ ରହିଛି ୪ଟି ଆସନ । ଅସଦୁଦିନ ଓୱେସିଙ୍କ ଦଳ ପାଖରେ ଗୋଟିଏ ଆସନ ରହିଛି, ଯିଏ ନା ବିଜେପି ସହିତ ଅଛନ୍ତି ନା ମହାଗଠବନ୍ଧନ ସହ । ତେଣୁ ନୀତୀଶଙ୍କ ସମର୍ଥନ ଯୁଆଡେ ଯିବ ସେ ସରକାରରେ ବସିବ । ବାରମ୍ବାର ବିଶ୍ୱାସଘାତ ସତ୍ୱେ ବିଜେପି ପୁଣିଥରେ ନୀତୀଶଙ୍କୁ ଆପଣେଇ ନେବାପାଇଁ ସଂକେତ ଦେଇଛି ।

ସରକାରରେ ବସିବାକୁ ସାଥୀ ବଦଳାଇବାରେ ପାରଙ୍ଗମ ନୀତୀଶ କୁମାର । ୨୦୧୩ରେ ବିଜେପି ସହ ୧୭ବର୍ଷର ସମ୍ପର୍କ ଭାଙ୍ଗିଥିଲେ ନୀତୀଶ । ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିଜେପି ଘୋଷଣା କରିବା ପରେ ନୀତୀଶ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ । ୨୦୧୫ରେ ନୀତୀଶ କଂଗ୍ରେସ ଆଡକୁ ଢ଼ଳିବା ସହ ଆରଜେଡି, ଜେଡିୟୁ ଓ କଂଗ୍ରେସ ସହ ମହାମେଂଟ କଲେ । ବିଧାନସଭା ନିର୍ବାଚନରେ ମେଂଟକୁ ମିଳିଲା ବିପୁଳ ବିଜୟ । ଦୁଇବର୍ଷ ନପୁରୁଣୁ ମହାମେଂଟରେ ଦେଖାଦେଲା ଫାଟ । ଦୁର୍ନୀତି ମାମଲାରେ ଆରଜେଡି ଫସିବା ପରେ ଦୂରେଇ ଗଲେ ନୀତୀଶ । ବିଜେପି ସମର୍ଥନରେ ପୁଣି ମୁଖ୍ୟମନ୍ତ୍ରୀ ଚୌକି ଫେରି ପାଇଲେ । ହେଲେ ୨୦୨୨ରେ ପୁଣି ବିଜେପିଠୁ ମୁହଁ ମୋଡି ଆରଜେଡି ସମର୍ଥନରେ ବିହାର ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ।