ରାଜଧାନୀ ସାଲିଆ ସାହିରେ ଶିଶୁ ବିକ୍ରି ଅଭିଯୋଗ : ପୋଲିସ ସହାୟତାରେ ୩ମାସର ଶିଶୁକୁ ଉଦ୍ଧାର କଲା ଚାଇଲ୍ଡଲାଇନ

 ବିବାହର ପ୍ରଲୋଭନ ଦେଖାଇ ଶିଶୁଟିକୁ ୬ହଜାର ଟଙ୍କାରେ ସଫେଇ କର୍ମଚାରୀ କିଣି ନେଇଥିବା ସନ୍ଦେହ

200

କନକ ବ୍ୟୁରୋ : ନୟାପଲ୍ଲୀ ସାଲିଆ ସାହି ବସ୍ତିରେ ଶିଶୁ ପୁତ୍ର ବିକ୍ରି ଅଭିଯୋଗ । ପୋଲିସ ସହାୟତାରେ ୩ମାସର ଶିଶୁକୁ ଉଦ୍ଧାର କଲା ଚାଇଲ୍ଡଲାଇନ । ସାଲିଆ ସାହିରେ ରହୁଥିବା ଜଣେ ବିଧବା ମହିଳା ପ୍ରଲୋଭନର ଶିକାର ହୋଇ ଶିଶୁଟିକୁ ୬ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଜଣେ ସଫେଇ କର୍ମଚାରୀ ସମ୍ପୃକ୍ତ ମହିଳାଙ୍କୁ ଦିଲ୍ଲୀରେ ବିବାହ କରାଇଦେବାର ପ୍ରଲୋଭନ ଦେଖାଇ ଶିଶୁଟିକୁ କିଣି ନେଇଛି । ଚାଇଲ୍ଡଲାଇନର ଅଭିଯୋଗ ପରେ ନୂଆପଲ୍ଲୀ ଥାନା ପୋଲିସ ଖୋଳତାଡ ଆରମ୍ଭ କରିଥିଲା । ପୋଲିସ ଓ ଚାଇଲ୍ଡ ଲାଇନ ମିଳିତ ଭାବେ ଚଢାଉ କରି ରେଂଟାଲ କଲୋନୀ ସ୍ଥିତ ବେହେରା ବସ୍ତିରୁ  ଉକ୍ତ ସଫେଇ କର୍ମଚାରୀଙ୍କ ପାଖରୁ ଶିଶୁଟିକୁ ଉଦ୍ଧାର କରାଯାଇ ମା’କୁ ହସ୍ତାନ୍ତର କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ସାଲିଆସାହି ଗଣପତିନଗରରେ ରହୁଛନ୍ତି। ତାଙ୍କର ଏକ ଝିଅ ମଧ୍ୟ ରହିଛି । ସ୍ବାମୀ ମରିଯିବା ପରେ ସେ ଅଭାବ କାରଣରୁ ବଡ଼ କଷ୍ଟରେ ଚଳୁଛନ୍ତି । ଘଟଣାକ୍ରମେ ରେଣ୍ଟାଲ କଲୋନି ବେହେରା ବସ୍ତିର ଜଣେ ସଫେଇ କର୍ମଚାରୀଙ୍କ ସହିତ ମହିଳାଙ୍କର ପରିଚୟ ହୋଇଥିଲା । ସଫେଇ କର୍ମଚାରୀଙ୍କ ପୁଅ ନଥିବାରୁ ମହିଳାଙ୍କଠାରୁ ପୁଅକୁ ନେବାକୁ ଚାହିଥିଲେ । ପୁଅ ଦେଲେ ସେ ତାଙ୍କୁ ଦିଲ୍ଲୀରେ ବିବାହ କରାଇଦେବ ବୋଲି ପ୍ରଲୋଭନ ଦେଖାଇଥିଲେ । ତେଣୁ ମହିଳା ଜଣକ ସଫେଇ କର୍ମଚାରୀ କଥାରେ ରାଜି ହୋଇ ପୁଅକୁ ତାଙ୍କ ହାତରେ ଟେକି ଦେଇଥିଲେ। ପ୍ରତିବଦଳରେ ସଫେଇ କର୍ମଚାରୀ ମହିଳାଙ୍କୁ ୬ ହଜାର ଟଙ୍କା ଦେଇଥିଲେ । ଚତୁରତାର ସହ ସଫେଇ କର୍ମଚାରୀ ମହିଳାଙ୍କଠାରୁ ଏକ ସାଦା କୋର୍ଟ ପେପର୍‌ରେ ଟିପ ଚିହ୍ନ ନେଇଥିଲେ । ତେବେ କୌଣସି ସୂତ୍ରରୁ ଏହି ଖବର ଚାଇଲ୍‌ଡ ଲାଇନ୍‌ ନିକଟରେ ପହଞ୍ଚିଥିଲା ।