ମୃତ୍ୟୁକୁ ପରାଜିତ କରି ଜୀବନ ଯୁଦ୍ଧରେ ଜିତିଲା ଶିଶୁ । ୯୫ ଫୁଟ୍ ବୋରୱେଲ ଗାତ ତଳେ ୧୬ ଘଂଟା ସଘଂର୍ଷର କାହାଣୀ ।

233

କନକ ବ୍ୟୁରୋ : ରାଜସ୍ଥାନର ଜାଲୋର ଜିଲ୍ଲାରୁ ଆସିଛି ଏକ ଛାତି ଥରାଇ ଦେବା ଭଳି ଘଟଣା । ଗୋଟିଏ ୪ ବର୍ଷର ଶିଶୁକୁ ୯୫ ଫୁଟ୍ ଗାତ ତଳୁ ଜୀବନ୍ତ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଜିଲ୍ଲାର ସଂଚେର ଅଞ୍ଚଳର ଲାଛଡି ଗାଁର ନାଗାରାମ ଦେବାସୀ ଙ୍କ ୪ ବର୍ଷର ପୁଅ ଅନିଲ୍ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା । ଏହାପରେ ପରିବାର ଲୋକେ ଖୋଜା ଖୋଜି କରିଥିଲେ ବି କିଛି ସନ୍ଧାନ ପାଇ ନଥିଲେ । ଅନ୍ୟ ଏକ ପିଲା କହିବା ପରେ ପରିବାର ଲୋକେ ଜାଣିଥିଲେ ଯେ ତାଙ୍କ ପୁଅ ନିକଟରେ ୯୫ ଫୁଟ୍ ଗଭୀର ଖୋଳା ଯାଇଥିବା ଏକ ବୋରୱେଲ ଗାତ ଭିତରକୁ ତାଙ୍କ ପୁଅ ଗଳି ପଡିଛି ।

ଅନିଲକୁ ବାହାରକୁ ବାହାର କରିବାକୁ ପ୍ରଥମେ ଏନଡିଆରଏଫ୍ ର ସ୍ଥାନୀୟ କର୍ମଚାରୀ ପହଂଚିଯାଇଥିଲେ । ହେଲେ ସେମାନେ ଉଦ୍ଧାର କରିବାକୁ ସଫଳ ହୋଇପାରି ନଥିଲେ । ଏହାପରେ ଗାଁ ଲୋକ ଉପାୟ ରେ ଅନିଲକୁ ବାହାର କରିବାକୁ ଚେଷ୍ଟା କରିଥିଲେ । ହେଲେ ତାହା ବି ସଫଳ ହୋଇନଥିଲା । ଏହାପରେ ଏନଡିଆରଏଫ୍ ର ଏକ ସ୍ୱତନ୍ତ୍ର ଟିମ୍ ଘଟଣା ସ୍ଥଳରେ ପହଂଚି ଆରମ୍ଭ କରିଥିଲା ଅପରେଶନ୍ ଅନିଲ । ଏଥିରେ ପ୍ରଥମେ ଅନିଲ ନିଟକକୁ କ୍ୟାମେରା ପଠାଇ ଅନିଲର ସ୍ଥିତି ବାବଦରେ ଯାଂଚ କରିଥିଲେ । ଏହାପରେ ସେମାନେ ଦେଖିବାକୁ ପାଇଥିଲେ କି ସବୁ ଠିକ୍ ଅଛି କେବଳ ଅକ୍ସିଜେନ ଯୋଗାଣ ହେବା ଦରକାର । ଏହାପରେ ଅନିଲ ଫସିଥିବା ଗାତ ଭିତରକୁ ଅକ୍ସିଜେନ ଯୋଗାଣ ଆରମ୍ଭ କରିଥିଲେ । ହଜାର ହଜାର ଲୋକ ଠୁଳ ହୋଇଥିଲେ । ସମସ୍ତେ ଅବାକ୍ , କେବଳ ହାତଯୋଡି ନିୟତିକୁ ଡାକିବାରେ ବ୍ୟସ୍ତ ।

ଏନଡିଆରଏଫ୍ ଟିମ୍ ଅନିଲକୁ ଗାତ ଭିତରେ ବଂଚାଇ ରଖିବାର ବ୍ୟବସ୍ଥା ସିନା କରିଦେଲା, ହେଲେ ତାକୁ ବାହାରକୁ ବାହାର କରିବାରେ ସଫଳ ହୋଇପାରିଲା ନାହିଁ । ଏହାପରେ ସ୍ଥାନୀୟ ବ୍ୟକ୍ତି ସାଧାରାମ ସୁଥାର ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ଦେଶୀ ଉପାୟରେ ଅନିଲକୁ ଗାତ ଭିତରୁ ବାହାରକୁ ବାହାର କରାଗଲା । ଅନିଲ ଗାତ ଭିତରେ ପଶିବା ଓ ବାହାରିବା ମଧ୍ୟରେ ୧୬ ଘଂଟା ବିତି ଯାଇଥିଲା । ଅନିଲ ବାହାରକୁ ବାହାରିବା ପରେ ସୁସ୍ଥ ଥିବା କଥା କହିଛନ୍ତି ଡାକ୍ତର   ।
କହିରଖୁ କି ଅନିଲର ବାପା ନାଗାରାମ କ୍ଷେତକୁ ପାଣି ଯୋଗାଇବାକୁ ଏକ ବୋରୱେଲ ଖୋଳିଥିଲେ । ଏହା କେବଳ ଖୋଳା ହୋଇଥିଲା ଓ ଗାତ ଉପରେ ଏକ ଢାଙ୍କଣା ଦିଆଯାଇ ରଖାଯାଇଥିଲା । ଅନିଲ ଖେଳୁଥିବା ବେଳେ ଗାତ ଉପରର ଢାଙ୍କଣା କାଢି ତାହାକୁ ଭିତରୁ ଦେଖିବାକୁ ଚେଷ୍ଟା କରୁଥିବା ବେଳେ ଗାତ ଭିତରକୁ ଗଳିପଡିଥିଲା ।