ନନ୍ଦନକାନନରେ ଆଖି ବୁଜିଲା ଛୁଆ ହାତୀ ଗୌରୀ । ଗତ ଗୋଟିଏ ମାସ ମଧ୍ୟରେ ହରପିସ ଭାଇରସ ପାଇଁ ଗଲାଣି ୪ ହାତୀଙ୍କ ଜୀବନ ।

171

କନକ ବ୍ୟୁରୋ : ନନ୍ଦନକାନନରେ ହରପିସ୍ ଆତଙ୍କ । ଆଖି ବୁଜିଲା ଛୁଆ ହାତୀ ଗୌରୀ । ନନ୍ଦନକାନନରେ ଆଖି ବୁଜିଲା ଗୌରୀ । ଗତକାଲି ଠାରୁ ଗୌରୀ ଅସୁସ୍ଥ ଥିବା ବେଳେ ଆଜି ରାତି ପ୍ରାୟ ୧୦ଟା ସମୟରେ ମୃତ୍ୟୁ ହୋଇଛି । ହରପିସ୍ ଭୂତାଣୁ ସଂକ୍ରମଣରେ ଗତକାଲି ଠାରୁ ଅସୁସ୍ଥ ଥିଲା ଗୌରୀ । ଏହାପୂର୍ବରୁ ଗତକାଲି ମାଈ ହାତୀ କମଳାର ମୃତ୍ୟୁ ମଧ୍ୟ ହୋଇଥିଲା । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଗୌରୀର ମୃତ୍ୟୁ ସହ ଗତ ଗୋଟିଏ ମାସ ମଧ୍ୟରେ ୪ ହାତୀଙ୍କର ମୃତ୍ୟୁ ହୋଇସାରିଲାଣି । ଲଗାତାର ଭାବେ ନନ୍ଦନକାନନରେ ହାତୀ ମୃତ୍ୟୁ ବଢି ଚାଲିଥିବା ଏବେ ଏହା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏପରିକି ନନ୍ଦନକାନନରେ ଥିବା ୨ ବର୍ଷର ହାତୀ ଛୁଆ ମାମା ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ଦେଖାଦେଇଛି ।

ଅନ୍ୟପଟେ ସେଂଟ୍ରାଲ ଜୁ ଅଥୋରିଟି ୭ ନଭେମ୍ବର ୨୦୦୯ରେ ସମସ୍ତ ଚିଡିଆଖାନାକୁ ହାତୀ ସୁରକ୍ଷା ନେଇ ଚିଠି କରିଥିଲେ । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା ଯେ, ଚିଡିଆଖାନାରେ ହାତୀଙ୍କୁ ବାନ୍ଧି ରଖାଯାଇପାରିବ ନାହିଁ । ଅନ୍ୟପଟେ ଓୟୁଏଟିରେ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଅଛନ୍ତି ଯେଉଁମାନଙ୍କ କାମ ହେଲା, ନନ୍ଦନକାନନ ପ୍ରାଣୀଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବେ । ତେବେ ତଦାରଖ କେମିତି ଚାଲିଥିଲା ତାହା ଏହି ହାତୀ ମୃତ୍ୟୁରୁ ସ୍ପଷ୍ଟ ହୋଇଯାଉଛି ।

ଏହି ମାରାତ୍ମକ ହର୍ପିସ ଭାଇରସ୍ ଏସିଆ ମହାଦେଶର ଛୁଆ ହାତୀ ମାନଙ୍କ ଠାରେ ଦେଖାଯାଏ । ଥରେ ଏହି ଭାଇରସରେ ସଂକ୍ରମିତ ହେଲେ ବଂଚିବା ଅସମ୍ଭବ । ଚିକିତ୍ସା ବିଜ୍ଞାନରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ଔଷଧ ବାହାରିନାହିଁ ।