ମହାମାରୀ ବେଳେ ମଣିଷପଣିଆର ହତ୍ୟା । କରୋନା ସଂକ୍ରମିତ କୁନି ଶିଶୁକୁ ହସ୍ପିଟାଲରେ ଛାଡି ଚମ୍ପଟ ମାରିଲେ ମା’ ବାପା । ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଦେଲା ୨ ମାସର ଶିଶୁ ।

578

କନକ ବ୍ୟୁରୋ : ଦେଶରେ କରୋନା ଭାଇରସ୍ ସଂକ୍ରମଣର ଦ୍ବିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । କରୋନା ଭାଇରସ୍‌ ଜନିତ ମହାମାରୀ ବ୍ୟାପିବା ଦିନରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩.୮ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୩, ୭୮୦ ରହିଛି ।

କରୋନା ମହାମାରୀ ଲୋକଙ୍କ ମନରେ ଏଭଳି ଭୟ ସୃଷ୍ଟି କରିଛି ଯେ ଲୋକେ ମୃତ୍ୟୁ ପରେ ନିଜ ଲୋକଙ୍କୁ କାନ୍ଧ ଦେବାକୁ ଆସୁ ନାହାନ୍ତି । ଏମିତିକି ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ସେମିତି ହିଁ ମଣାଣିରେ ଛାଡ଼ି ଦେଇ ଚାଲି ଆସୁଛନ୍ତି । କେବଳ ଏତିକି ନୁହେଁ ପ୍ରାଣ ଛାଡ଼ି ଯାଉଥିବା ବେଳେ ଝିଅ ବାପା ମୁହଁରେ ପାଣି ଦେଉଥିବା ବେଳେ ମା’ ଭୟରେ ଝିଅକୁ ଏଥିରୁ ନିବୃତ୍ତ ରହିବାକୁ କହୁଛି । ଏହାଠାରୁ ହୃଦୟ ବିଦାରକ ଘଟଣା କ’ଣ ବା ହୋଇପାରେ ।

କରୋନା କାଳରେ ଏମିତି ଏକ ଅଭାବନୀୟ ଘଟଣା ଜାମ୍ମୁରେ ଦେଖିବାକୁ ମିଳିଛି । ଦୁଇ ମାସର ଶିଶୁ କରୋନା ସଂକ୍ରମିତ ହେବା ପରେ ତାର ବାପା-ମା’ ତାକୁ ଜମ୍ମୁର ଶ୍ରୀ ମହାରାଜା ଗୁଲାବ ସିଂ ହସ୍ପିଟାଲରେ ଛାଡିଦେଇ ପଳାଇଛନ୍ତି ।

ଏହି ଘଟଣାକୁ ନେଇ ଜମ୍ମୁର ଶ୍ରୀ ମହାରାଜା ଗୁଲାବ ସିଂ ହସ୍ପିଟାଲର ମେଡିକାଲ ଅଧୀକ୍ଷକ ଦାରା ସିଂ କହିଛନ୍ତି, ଗତ ସୋମବାର ସକାଳେ ଦୁଇ ମାସର ଅସୁସ୍ଥ ଶିଶୁକୁ ଧରି ତାର ବାପା-ମା  ଆସିଥିଲେ । ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯେତେବେଳେ ଶିଶୁଟିର କରୋନା ପରୀକ୍ଷା କରାଯାଇଥିଲା ତାର ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ଶିଶୁଟିର ବାପା-ମା’ଙ୍କୁ ମଧ୍ୟ କରୋନା ପରୀକ୍ଷା କରିବାକୁ କୁହାଯାଇଥିଲା । ସେମାନେ ହଁ କରିବୁ ବୋଲି କହିଥିଲେ । କିଛି ସମୟ ପରେ ସେମାନଙ୍କୁ ଖୋଜା ପଡ଼ିଥିବା ବେଳେ ସେମାନେ ଆଉ ନଥିଲେ । ଶିଶୁଟି ଜୀବନ ମରଣ ସହ ସଂଘର୍ଷ କରି ଶେଷରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା । ଏହି ଘଟଣାକୁ ନେଇ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁସାରେ ଡାକ୍ତରଖାନା କର୍ତ୍ତୃପକ୍ଷ ଶିଶୁଟିକୁ ହସ୍ପିଟାଲରେ ଏକା ପଡ଼ିଥିବା ଦେଖି ତାର ବାପା-ମା’ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ କୌଣସି ପ୍ରକାର ଯୋଗଯୋଗ ହୋଇ ପାରି ନଥିଲା ।