ଜଳସଂକଟର ଭୟଙ୍କର ସ୍ଥିତି : ପାଣି ଖୋଜି ଖୋଜି ଶୁଖିଲା କୁଣ୍ଡ ପାଖରେ ପ୍ରାଣ ଛାଡିଦେଲା ଓଟଛୁଆ , ସରକାରଙ୍କୁ ଜବାବ୍ ମାଗିଲେ ଗ୍ରାମବାସୀ ।

684

କରୋନା ଘଡିରେ ସ୍ୱଚ୍ଛପାଣି ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ରାଜସ୍ଥାନବାସୀ । ଏଭଳି ସମୟରେ ପଶୁପକ୍ଷୀଙ୍କ ଜୀବନ ପାଇଁ ସଂକଟ ସାଜିଛି ଜଳକଷ୍ଟ । ରାଜସ୍ଥାନର ବାଡ଼ମେର୍ ଜିଲ୍ଲାରେ ଦେଖିବାକୁ ମିଳୁଛି ଏଭଳି ସ୍ଥିତି । ଏଠାକାର ଗୋଟିଏ ଓଟଛୁଆ ପାଣି ଟିକିଏ ପାଇଁ ଶୁଖିଲା କୁଣ୍ଡ ପାଖକୁ ଆସି କିଭଳି ମୃତ୍ୟୁବରଣ କରିଛି ଏହାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁ ଜୀବ ବିନା ପାଣିରେ ଅନେକ ଦିନ ପର୍ଯ୍ୟନ୍ତ ବଂଚି ରହିପାରେ ତାହାର ଏଭଳି ଦୁଃଖଦ ମୃତ୍ୟୁ ଏବେ ବଡ଼ ପ୍ରଶ୍ନ ଠିଆ କରିଛି । ପାଣି ଅନ୍ୱେଷଣରେ ଖରାରେ ବୁଲି ବୁଲି ଓଟଛୁଆଟି ଗୋଟିଏ ଶୁଖିଲାକୁଣ୍ଡ ପାଖକୁ ଆସି ସେହି ସ୍ଥାନରେ ହିଁ ପ୍ରାଣ ଛାଡିଥିବା ଘଟଣାଟି ଏବେ ଦେଶର ଆତ୍ମାକୁ ଦୋହଲାଇ ଦେଇଛି ।

ଘଟଣାଟି ବାଡ଼ମେର ଜିଲ୍ଲାର ଖୋକସର୍ ଗାଁର । ମାମଲା ସାମ୍ନାକୁ ଆସିବା ପରେ ଗାଁ ଲୋକ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସରକାରଙ୍କ ଖାମଖିଆଲ ଭାବ ଯୋଗୁଁ ଏଠାରେ ଜୀବଜନ୍ତୁ ମରୁଥିବା କଥା ଗ୍ରାମବାସୀ କହିଛନ୍ତି । ଏହି ଗାଁରେ ଜଳସଂକଟ ଏକ ଭୟଙ୍କର ସମସ୍ୟା ପାଲଟିଲାଣି । ମାସକୁ ୩ ରୁ ୪ ଥର ଗାଁକୁ ପାଣି ସପ୍ଲାଏ ହୁଏ । ଯେଉଁଥିରେ ମଣିଷ ପାଣି ଟୋପାଏ ପାଇଁ କସରତ କରୁଛି ସେଠି ଜୀବଜନ୍ତୁଙ୍କୁ ପଚାରେ କିଏ ! ତେବେ ଏନେଇ ଜଳଯୋଗାଣ ବିଭାଗ ଅଧିକ୍ଷକ ଜେ.ପି ଶର୍ମା କୁହନ୍ତି ଯେ ଅଞ୍ଚଳକୁ ପର୍ଯ୍ୟାପ୍ତ ପରିମାଣରେ ପାଣି ଯୋଗାଇ ଦିଆଯାଉଛି । ଏନେଇ ଗ୍ରାମବାସୀଙ୍କ ପ୍ରଶ୍ନ ରହିଛି ଯେ ଯଦି ଗାଁରେ ପର୍ଯ୍ୟାପ୍ତ ପାଣି ଯୋଗାଇ ଦିଆଯାଉଛି ତେବେ ଓଟଛୁଆଟିର ଏଭଳି ମୃତ୍ୟୁ ପାଇଁ ଦାୟୀ କିଏ?