ମା’ କୋଳରୁ ଚୋରି ହୋଇଗଲା ଶିଶୁ ପୁତ୍ର । ଶୋଇଥିବାବେଳେ ମା’ ପାଖରୁ ଉଠାଇ ନେଲା ଦୁର୍ବୃତ୍ତ । ସିସିଟିଭିରେ କଏଦ ପୁରା ଘଟଣା ।

199

କନକ ବ୍ୟୁରୋ: ମା’ କୋଳରୁ ଚୋରି ହୋଇଗଲା ଶିଶୁ ପୁତ୍ର । ପୁଅ ଚୋରି ହେବାର ଦୃଶ୍ୟ ସିସିଟିଭିରେ ହେଲା କଏଦ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ । ଜଣେ ସ୍ୱାମୀ ପରିତ୍ୟକ୍ତ ମହିଳାଙ୍କ କୋଳରୁ ଶିଶୁ ପୁତ୍ରକୁ ଚୋରି କରି ନେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଗତ ରାତିରେ ଖଲ୍ଲିକୋଟର ଏକ ଦୋକାନ ବାରଣ୍ଡାରେ ମା ତାର ଏକ ୯ମାସର ପୁଅ ସହ ଶୋଇ ପଡିଥିଲେ । ଶୋଇଥିବା ଅବସ୍ଥାରେ କୁନି ପୁଅକୁ କେହି ଜଣେ ଚୋରି କରି ନେଇଯାଇଥିଲେ । ତେବେ ମା ଜାଣିବା ପରେ ପୁଅକୁ ଖୋଜାଖୋଜି କରିଥିଲେ । ମହିଳାଙ୍କ କାନ୍ଦ ଦେଖି ଲୋକମାନେ ଉକ୍ତ ନିରାଶ୍ରୟ ମହିଳାଙ୍କ ଚାରିପଟେ ରୁଣ୍ଡ ହୋଇ ଯାଇଥିଲେ । ଶିଶୁପୁତ୍ରର ଖୋଜ ଖବର ନ ପାଇ ଶେଷରେ ଖଲ୍ଲିକୋଟ ଥାନରେ ଏନେଇ ଏତଲା ଦିଆଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।